ଫୁଲବାଣୀ : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ଦୀର୍ଘ ଦିନ ଧରି କନ୍ଧମାଳ ଜିଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ବନ୍ୟପ୍ରାଣୀଙ୍କ ସହ ମଣିଷ ଜୀବନ ସଂକଟରେ ପଡିଥିବା ବାରମ୍ବାର କୁହାଯାଉଥିଲେ ବି ଏଥି ପ୍ରତି ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ଆଜି ଜଣେ ବୃଦ୍ଧା ନିଆଁରେ ପୋଡି ହୋଇଙ୍କୁ ଜୀବନ ହରେଇବାକୁ ପଡିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକରଛୟା ଖେଳି ଯାଇଛି ।
ସୂଚନା ଅନୁଯାୟୀ, ରାଇକିଆ ବ୍ଲକ ବାକିଙ୍ଗିଆ ଗ୍ରାମର ଜଣେ ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଜଙ୍ଗଲ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାମ ରମାଦେଇ ପ୍ରଧାନ ଓ ବୟସ ୭୩ ବର୍ଷ । ରମାଦେଇ ସବୁଦିନ ଭଳି ଆଜି ମଧ୍ୟ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ସେ ତାହାକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେହି ନିଆଁରେ ସେ ପୋଡି ହୋଇ ଯାଇଥିଲେ । ଜଳୁଥିବା ଜଙ୍ଗଲରୁ ବାହାରକୁ ଆସି ନପାରି ସେ ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀ ପୁଲିସକୁ ଖବର ଦେବାରେ ରାଇକିଆ ପୁଲିସ ସେଠାରେ ପହଂଚି ମହିଳାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟୂକେନ୍ଦ୍ରକୁ ପଠାଇଥିଲେ । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁଆଡ଼େ କର୍ମଚାରୀ ଅଭାବରୁ ଦୀର୍ଘ ୫ ଘଣ୍ଟା କାଳ ଶବଟି ବ୍ୟବଚ୍ଛେଦ କେନ୍ଦ୍ର ବାହାରେ ଏକ ଅଟୋ ରିକ୍ସାରେ ପଡି ରହିଥିବା ଦେଖିବାକୁ ମିଳିଥିଲା ।
ଏ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ ବିିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଜିଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ ଏହାକୁ ଏକ ସମ୍ବେଦନଶୀଳ ଘଟଣା କହି ଏଥିପାଇଁ ବନ ବିଭାଗକୁ ଏବଂ ସରକାରଙ୍କୁ ଦାୟି କରିଛନ୍ତି । ଜିଲାସାରା ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ ବିଭାଗ ଏହାକୁ ଆୟତ କରିବାରେ ବିଫଳ ହୋଇଛି। କର୍ମଚାରୀ ଓ ସାଜ ସରଂଜାମର ଅଭାବ କହି ଘଟଣାକୁ ଏଡାଇ ଚାଲିଛି ବିଭାଗ । ଆଜିର ଘଟଣା ସଂପର୍କରେ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ପଚାରିବାରେ ସେ ତାଙ୍କ ପାଖରେ ଖବର ନ ଥିବା କହିଛନ୍ତି । ଜଙ୍ଗଲକୁ ମହୁଲ ସଂଗ୍ରଜହ କରିବାକୁ ଯାଇଥିବା କେହି ବ୍ୟକ୍ତି ପୋଡିହେଲେ ଆମେ କଣ କରିବୁ ବୋଲି ସେ ପ୍ରକାଶ କରିଛନ୍ତି । ଏ ନେଇ ରାଇକିଆ ଥାନାରେ ୩ା୨୧ ରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି ।