ବଲାଙ୍ଗିର,(ଦେବାଶିଷ ମିଶ୍ର): ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ଗେଟ ତଥା ରାଜେନ୍ଦ୍ର ୟନିଭର୍ସିଟିର ମାଷ୍ଟର ପ୍ଲାନ ଫଳକ ଭଙ୍ଗା ଘଟଣାରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ସହ ଏକ ସିସିଟିଭି ଭିଡିଓ ଜାରୀ କରିଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ ନନ୍ଦଙ୍କ ନେତୃତ୍ୱରେ ଛାତ୍ରମାନେ ବଲାଙ୍ଗିର ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ନାୟକଙ୍କୁ ଦେଖା କରି ଏ ଘଟଣା ସଂପର୍କରେ ପୋଲିସ ର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ଗତ ରାତିରେ ହଠାତ ଦୁଇ ଜଣ ବାଇକ ଚାଳକ ପ୍ଲାଟିନମ ଜୁବଲି ଗେଟ ପାଖକୁ ପହଞ୍ଚି ଗେଟକୁ ଟେକା ମାରୁଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ।
ପୋଲିସ ସିସଟିଭି ଯାଞ୍ଚ କରି ଦୁବୁର୍ତ୍ତମାନଙ୍କୁ ଧରିବା ସହ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବୀ କରିଛି । ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ସିସିଟିଭି ଭିଡିଓ ପୋଲିସକୁ ପ୍ରଦାନ କରାଯାଇଛି । ଉକ୍ତ ଭିଡିଓରେ ଦୁଇ ଜଣ ବାଇକ ଆରୋହି ଏକ ଲାଲ ରଙ୍ଗର ବାଇକରେ ଷ୍ଟେଡିଅମ ତରଫରୁ ଆସି ଗେଟ ସାମାନାରେ ଛିଡା ହୋଇଥିଲେ । ପରେ ପରେ ସେମାନେ ଟେକା ଗୋଟାଉ ଥିବା ଦେଖିବାକୁ ମିଳିଛି । ତେବେ ଏହି ଯୁବକମାନେ ହିଁ ଗେଟ୍ ଓ ମାଷ୍ଟର ପ୍ଲାନ ଫଳକ ଭଙ୍ଗାରୁଜା କରିଥିବା ଦଳ ତରଫରୁ ଅନୁମାନ କରାଯାଉଛି । ତେବେ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ଏହି ଘଟଣାର ତୁରନ୍ତ ଅନୁସନ୍ଧାନ କରାଯାଇ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ।