ବଲାଙ୍ଗିର : ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ଭାବେ ବଢି ଚାଲିଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବର୍ଷ ପୂର୍ବରୁ ନିଜ ବକ୍ତବ୍ୟରେ କହିଥିଲେ ଦେଶରେ ବଢୁଥିବା ପେଟ୍ରୋଲ ଓ ଡିଜେଲର ଦରକୁ ଯେଉଁ ପ୍ରଧାନମନ୍ତ୍ରୀ କମାଇ ପାରିବ ନି କିମ୍ବା ନିୟନ୍ତ୍ରଣରେ ରଖିପାରିବ ନାହିଁ ସେ ଜଣେ ଦେଶ ଦ୍ରୋହି ଅଟେ । ତେଣୁ ନରେନ୍ଦ୍ର ମୋଦୀ ଜଣେ ଦେଶ ଦ୍ରୋହି ଅଟନ୍ତି ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଜିି କଂଗ୍ରେସ ଦଳର ତୈଳଦର ପ୍ରତିବାଦରେ ୭ ଘଣ୍ଟିଆ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସାଧାରଣ ଜନତାଙ୍କୁ ଓଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି । ଆନ୍ତର୍ଜାତୀକ ବଜାରରେ କଞ୍ଚା ତେଳର ଦର କମ ଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଲେଜ ଉପରେ ଅତିରିକ୍ତ ଟିକସ ବସାଇ ସାଧାରଣ ଜନତାଙ୍କ କଷ୍ଟ ଉପାର୍ଜିତ ଧନକୁ ଲୁଟୁଛନ୍ତି । କ୍ରମାଗତ ଭାବରେ ତୈଳଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ ହେବାରେ ଲାଗିଲାଣି । ଗତ ସାଢେ ୬ ବର୍ଷ ଭିତରେ କେନ୍ଦ୍ରର ବିଜେପି ସରକାର ତୈଳଦର ବୃଦ୍ଧି କରି ୨୦ଲକ୍ଷ କୋଟି ଟଙ୍କାର ଅର୍ଥରାଶି ସାଧାରଣ ଜନତାଙ୍କ ଠୁ ଲୁଟ କରିଛନ୍ତି । ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ ନିଜ ବକ୍ତବ୍ୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ କହିଥିବା ଦେଶଦ୍ରୋହି କଥା ତାଙ୍କ ନିଜ ଉପରେ ଲାଗୁ ହେବା ଉଚିତ । ତେଣୁ ତୈଳଦରକୁ ନିୟନ୍ତ୍ରଣ ନ କରିପାରିବା କିମ୍ବା କମେଇ ନ ପାରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଦେଶ ଦ୍ରୋହି ଘୋଷଣା କରନ୍ତୁ ।