ଭୁବନେଶ୍ୱର : ଏକାମ୍ର ଏକ ଅନନ୍ୟ ଐତିହରାଜିର କ୍ଷେତ୍ର । ଏହି ସ୍ଥାନରେ ପ୍ରତ୍ୟେକ ମନ୍ଦିର ମଧ୍ୟ ଅନନ୍ୟ । ଏଠାରେ ପଥର ଖୋଦେଇ ମନ୍ଦିର ପ୍ରତିଟି ସାହି, ଗଳି କନ୍ଦିରେ ବିରାଜମାନ । ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ରାଜଧାନୀର ଅଧିଷ୍ଠିତ ଦେବତା । ଓଡ଼ିଆ ଜାତିର ପ୍ରାଣ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନୀତିକାନ୍ତି ସହ ଲିଙ୍ଗରାଜ ମହାପ୍ରଭୁଙ୍କର ନୀତିକାନ୍ତିରେ ସମାନତା ରହିଛି । ୧୨ ମାସରେ ୧୩ ପର୍ବ ସହ ରଥଯାତ୍ରା ଠାରୁ ଆରମ୍ଭକରି ଆଟିକା ଅନ୍ନ ଭୋଗ ପର୍ଯ୍ୟନ୍ତ ସବୁଥିରେ ସମତା ଦେଖିବାକୁ ମିଳେ । ଏଠି ଛତିଶା ନିଯୋଗ ମଧ୍ୟ ରହିଛି । ଏଥି ପାଇଁ ଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି “ ହରି ହର” ।
ଜାତୀୟ କୀର୍ତିରାଜୀ ପ୍ରାଧିକରଣ ଅଧିନୀୟମକୁ ନେଇ ଯେଉଁ ପ୍ରସଙ୍ଗ ଉପୁଜିଛି ସେଥିରେ ଉଭୟ ବିଜେଡ଼ି ଓ ବିଜେପି ନାଟକବାଜି କରୁଛନ୍ତି । ଉଭୟ ଦଳ ପ୍ରତ୍ୟେକ ନୀତି ନିଷ୍ପତିରେ ଏକ ରହିଥିବା ସ୍ଥଳେ ଲିଙ୍ଗରାଜ ମହାପ୍ରଭୁଙ୍କ କ୍ଷେତ୍ରରେ ନିଜକୁ ଭିନ୍ନ ଭିନ୍ନ ଦର୍ଶାଉଛନ୍ତି । ଏହା ଏକ ପ୍ରତାରଣା ।
ଶ୍ରୀକ୍ଷେତ୍ରର ଜଗନ୍ନାଥ ଏବଂ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମହାପ୍ରଭୁଙ୍କ ମଧ୍ୟରେ ଉଭୟ ଦଳ ପ୍ରଭେଦ ସୃଷ୍ଟି କରିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଏକ ଜୀବନ୍ତ ଐତିହ୍ୟ । ତେଣୁ ସେଠାରୁ ଏନ୍.ଏମ୍.ଏ ବାଇ-ଲ ପ୍ରତ୍ୟାହାର କରାଯାଇଛି । ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ମଧ୍ୟ ଜୀବନ୍ତ ଐତିହ୍ୟ । ଏହା ସ୍ମାରକୀ ନୁହେଁ ।
କେନ୍ଦ୍ର ସରକାର ଓ ରାଜ୍ୟସରକାଙ୍କ କଳି ଭିତରେ ଏକାମ୍ର କ୍ଷେତ୍ରର ସ୍ୱାର୍ଥ ବଳି ନପଡ଼ିଯାଉ । ଏଠିକାର ବିକାଶରେ ଏନ୍.ଏମ୍.ଏ ବାଇ-ଲ ପ୍ରତିବନ୍ଧକ ସାଜିବ ବୋଲି ସ୍ପଷ୍ଟ ହୋଇପଡ଼ିଛି । ବାଇ-ଲ ବଳବତର ରହିଲେ ସଂପୃକ୍ତ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର କାର୍ଯ୍ୟ ଏବଂ ବିକାଶମୁଳକ ଯୋଜନା ଏବଂ ପାରିପାଶ୍ୱର୍ିକ ଭିତିଭୂମିର ଉନ୍ନତି କରଣ ବାଧାପ୍ରାପ୍ତ ହେବ । ।
ସୁତରାଂ ଶ୍ରୀମନ୍ଦିରରୁ ଯେପରି ଏନ୍.ଏମ୍.ଏ ବାଇ-ଲ ପ୍ରତ୍ୟାହାର ହେଲା ସେହିପରି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରକୁ ଏହି ବାଇ-ଲ କଟକଣାରୁ ମୁକ୍ତ କରାଯିବା ଦାବିରେ କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ କରାଯାଉଛି । ଏକାମ୍ର କ୍ଷେତ୍ରର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ କଂଗ୍ରେସର ଲଢ଼େଇରେ ଆପଣ ସାମିଲ ହୋଇ ଏଥିରେ ନିଜର ସ୍ୱାକ୍ଷର କରିବାକୁ ଅନୁରୋଧ । କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ସ୍ୱାକ୍ଷର ସମ୍ଭଳିତ ଦାବି ପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ବିଶ୍ୱଜିତ ଦାଶ, କୁସୁମ ପ୍ରଧାନ, ସିପ୍ରା ସେନାପତି, କ୍ଷୀରୋଦ ବେହେରା, ଜୟକୃଷ୍ଣ ମଲିଆ, ମନୋରଞ୍ଜନ ବଟୁ, ସୁବତ୍ର ମହାପାତ୍ର, ରୀନା ସାହୁ, ରବିନ୍ଦ୍ର କାଣ୍ଡି, ମହମ୍ମଦ ତକୱିନ, ବିଂରଚି ପତି, ବ୍ରାହ୍ମଣ ନିଯୋଗ ସଂପାଦକ ଉପସ୍ଥିତ ଥିଲେ ।