ସମ୍ବଲପୁର : ସମ୍ବଲପୁର ଆଞ୍ଚଳିକ ପରିବହନ ସଂଗଠନ(ଆର୍ଟିଓ)ର ମୋବାଇଲ ଯାଞ୍ଚ ବେଳେ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳକ ୨ ଜଣ ନାବାଳକ ସାଙ୍ଗଙ୍କୁ ବସାଇ ବାଇକ ଚଳାଉଥିବାରୁ ବାଇକ ମାଲିକଙ୍କୁ ୨୯ ହଜାର ଟଙ୍କା ଜରିମାନା ହୋଇଛି । ଏ ନେଇ ଚାଲାଣ କଟାଯାଇଥିବା ବେଳେ ବାଇକକୁ ପୁଲିସ ହେପାଜତରେ ରଖାଯାଇଥିବା ଆର୍ଟିଓ ତ୍ରିଲୋଚନ ପାତ୍ର ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଆରଟିଓ ମୋବୋଇଲ ଟିମ ପୁରୁଣା ରାଂଚି ରୋଡରେ ପାଟ୍ରୋଲିଂ କରୁଥିବା ସମୟରେ ଶାସନ ଥାନା ଅନ୍ତର୍ଗତ ତବଲାରେ ୩ ଜଣ ନାବାଳକ ବାଇକରେ ଯାଉଥିବା ଦେଖି ଅଟକାଇ ଥିଲେ । ଯାଞ୍ଚରେ ବାଇକ ଚଳାଉଥିବା ନାବାଳକ ଅଷ୍ଟମ ଶ୍ରେଣୀ ଛାତ୍ର ହୋଇଥିବା ଓ ବାଇକର ବୀମାନଥିବା ଜଣାପଡିଥିଲା । ଏଣେ ବାଇକ ଆରୋହୀ ତିନି ହେଁ ହେଲମେଟ ପିନ୍ଧିନଥିଲେ । ନିକଟସ୍ଥ ଖୁଲିଆ ବାସିନ୍ଦା ଓଡି ୧୫ ଏଲ ୨୦୪୯ ନମ୍ବର ବାଇକ ମାଲିକଙ୍କୁ ଡକାଯାଇ ଯାନବାହନ ଆଇନର ବିଭିନ୍ନ ଧାରାରେ ୨୯ ହଜାର ଟଙ୍କା ଅର୍ଥଦଣ୍ଡ ସକାଶେ ଚାଲାଣ କଟାଯାଇଥିଲା ।