ଭୁବନେଶ୍ୱର : ମହିଳା ସଶକ୍ତିକରଣର ବାସ୍ତବ ଅର୍ଥ ହେଲା ସ୍ୱାଭିମାନର ସହିତ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହିତ ବଞ୍ଚିବା। ସରକାରୀ ସ୍ତରରେ ଅନେକ ମହିଳା କଲ୍ୟାଣକାରୀ ଯୋଜନାମାନ ରହିଥିଲେ ମଧ୍ୟ ସଚେତନତାର ଅଭାବ ଓ ସମୟୁପଯୋଗୀ ପରାମର୍ଶ ଓ ସହଯୋଗର ଅଭାବ ସହିତ ନିକଟରେ କରୋନାର ଭୟାବହ ପରିସ୍ଥିତି ଯୋଗୁଁ ଅନେକ ମହିଳାମାନଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇ ପଡିଛି। ମହିଳାମାନଙ୍କୁ ରୋଜଗାର କ୍ଷମ କରାଇବାକୁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସୁବିଧା ସୁଯୋଗକୁ କିପରି ସାଧାରଣ ମହିଳାମାନେ ପାଇ ପାରିବେ ସେଥିପାଇଁ ଆଜି ଭୁବନେଶ୍ୱର ସତ୍ୟ ନଗର ଲେଡିଜ ଫୋରମ ପକ୍ଷରୁ ୱାର୍ଡ ନମ୍ବର ୩୪ ଶାନ୍ତିପଲ୍ଲୀ ବସ୍ତିରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।
ସମ୍ପାଦିକା ଅନୁରାଧା ଦାସ ଓ ସହ ସମ୍ପାଦିକା ଆଡ଼ଭୋକେଟ ଶୋଭେଦିତା ରାୟଙ୍କ ନେତୃତ୍ୱରେ ୱାର୍ଡ ନମ୍ବର ୩୪ ର ୧୦୦ରୁ ଉର୍ଦ୍ଧ୍ବ ଉତ୍ସାହୀ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାମାନ ଉପରେ ଅବଗତ କରାଇଥିଲେ “ମହିଳା ଆତ୍ମନିର୍ଭର ଅଭିଯାନ”ର ଅଧ୍ୟକ୍ଷା ଡ଼ଃ ରିନା ରାଉତରାୟ ଓ ରାଜ୍ୟ ମାଧ୍ୟମ,କ୍ଷୁଦ୍ର ଓ ଅଣ ଶିଳ୍ପ ବିଭାଗର ପରାମର୍ଶଦାତା ଶ୍ରୀମତି ଜୟନ୍ତୀ ମହାପାତ୍ର।
“ସତ୍ୟ ନଗର ଲେଡିଜ ଫୋରମ” ଓ “ମହିଳା ଆତ୍ମନିର୍ଭର ଅଭିଯାନ”ର ମିଳିତ ଉଦ୍ୟମରେ ଆଗାମୀ ଦିନରେ ଏହି ସଚେତନତା ଶିବିର ଭୁବନେଶ୍ୱରର ସମସ୍ତ ୱାର୍ଡରେ କରାଯିବ ବୋଲି ସମ୍ପାଦିକା ଅନୁରାଧା ଦାସ ସୂଚନା ଦେଇଛନ୍ତି।