ଭୁବନେଶ୍ୱର: ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପି ଉପରେ ବର୍ଷିଛନ୍ତି । ହଠାତ୍ ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି । ଏଥିରେ ନୟାଗଡ ଶିଶୁ ମୃତ୍ୟୁ ଘଟଣାରେ ନେଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ବିଜେପି ଯେଉଁ ନିରନ୍ତର ଉଦ୍ୟମ ଚଳାଇଛି, ଏହା ତାର ପ୍ରତିଫଳନ ବୋଲି କୁହାଯାଉଛି । ଜାତୀୟ ଦଳ ଓଡିଶାର ସ୍ୱାର୍ଥକୁ ରକ୍ଷା କରିପାରିବ ନାହିଁ । ସେ ଦଳର ରାଜ୍ୟ ନେତାମାନେ କେବଳ କେନ୍ଦ୍ରୀୟ ନେତାଙ୍କୁ ଖୁସି କରି ରଖି ନିଜ ଫାଇଦା ହାସଲ କରିବାରେ ହିଁ ରହିବେ । ରାଜ୍ୟ କଥା ତାଙ୍କର ଗୁରୁତ୍ୱ ନାହିଁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା କଥା ନିର୍ବାଚନୀ ଇସ୍ତାହାରରେ ରଖିଲେ । ହେଲେ ଏବେ ସେ କଥା ଆଉ ମନେ ପକାଉନାହାନ୍ତି । ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥା ମଧ୍ୟ ପୁଣି ନବୀନ ଉଠାଇଛନ୍ତି ।
ଆଜି ବିଜେଡି ଯୁବଶାଖାର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳୀୟ ଯୁବକମାନଙ୍କୁ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଡା ସମାଲୋଚନା କରିଥିଲେ । ମୁଖ୍ୟତଃ ବିଜେପି ହିଁ ନବୀନଙ୍କ ପ୍ରମୁଖ ନିଶାନାରେ ରହିଥିବା ଦେଖା ଯାଇଥିଲା । ଏଥିରେ କୁହାଯାଉଛି ପରୀ ମୃତ୍ୟୁ ଘଟଣା ଉପରେ ସରକାର ଏସଆଇଟି ଗଠନ କରିଛନ୍ତି । ହେଲେ ବିଜେପି ଏହାକୁ ନମାନି ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ବସିଛି । ବିଜେପି ନେତାମାନେ ଏହାକୁ ସଂପୂର୍ଣ୍ଣ ଭାବରେ ରାଜନୈତିକ ପ୍ରସଙ୍ଗ କରିଛନ୍ତି । ନୟାଗଡଠୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ପରେ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତରର ନେତାଙ୍କ ପର୍ଯ୍ୟନ୍ତ ପରୀ ଗାଁକୁ ଯିବାକୁ ପଛାଇ ନାହାନ୍ତି । ପୁଣି ଆଗକୁ ରାଜ୍ୟବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ବିଜେଡିକୁ ସାଧାରଣରେ ନିନ୍ଦିତ କରିବା ଓ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ଦର୍ଶାଇବା ପାଇଁ ବିଜେପିର ଏହି ପ୍ରୟାସ ବୋଲି କୁହାଯାଉଛି । ଏପରିକି ନିକଟରେ ଆସିଥିବା ବିଜେପିର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାରକୁ କଡା ସମାଲୋଚନା କରିବା ସହ ବିଫଳ ସରକାର ଭାବେ ଅଭିହିତ କରିଥିଲେ । ସେ ପରୀ ଗାଁକୁ ଯାଇ ରାଜନୀତି କରିବାକୁ ବି ପଛାଇ ନଥିଲେ ।
ଏସବୁ ଦେଖି ନବୀନ ଆଜି ଜାତୀୟ ଦଳ କଥା ଉଠାଇ ରାଜ୍ୟର ସ୍ୱାର୍ଥ ସେମାନେ ରକ୍ଷା କରନ୍ତି ନାହିଁ । ଏଭଳି ଏକ ବାର୍ତ୍ତା ରାଜ୍ୟବାସୀ ଓ ଯୁବସମାଜକୁ ଦେବା ପାଇଁ ପ୍ରୟାସ କରିଛନ୍ତି । ନବୀନ କହିଥିଲେ, ଜାତୀୟ ଦଳମାନଙ୍କ ମୁଖ୍ୟ ଲକ୍ଷ୍ୟ କଣ ? ନିର୍ବାଚନ ଜିତିବା ଓ କ୍ଷମତା ଅଧିକାର କରି କେନ୍ଦ୍ରରେ ସରକାର ଗଢିବା । ଜାତୀୟ ଦଳର ରାଜ୍ୟ ନେତାମାନଙ୍କର ମୂଳ ଲକ୍ଷ୍ୟ କଣ ? ଜାତୀୟ ସ୍ତରର ନେତାଙ୍କୁ ଖୁସି କରି ରଖିବା ଏବଂ ମନ୍ତ୍ରୀ ହେବା କିଛି ବଡ ପଦବୀ ପାଇବା । ଜାତୀୟ ଦଳମାନଙ୍କ ମୂଳ ଲକ୍ଷ୍ୟ ହେଉଛି କିପରି ଅଧିକ ଭୋଟ ପାଇବେ । ସେମାନଙ୍କର ଏଥିପାଇଁ ଯୋଜନା ହେଉଛି ଗୋଟିଏ ଭାଷା ହିନ୍ଦୀ । କାରଣ ବଡ ବଡ ରାଜ୍ୟମାନଙ୍କରେ ଅଧିକ ଭୋଟ ପାଇପାରିବେ । ସେମାନଙ୍କର ଗୋଟିଏ ନୀତି ହେଉଛି ଭୋଟ ହାତେଇବା ଓ ଛୋଟ ଛୋଟ ରାଜ୍ୟର ପରିଚୟକୁ ଅଣଦେଖା କରିବା । ଜାତୀୟ ଦଳମାନେ ନିଜର ସ୍ୱାର୍ଥ ରକ୍ଷା ପାଇଁ ବହୁ କ୍ଷେତ୍ରରେ ବୁଝାମଣା କରିଥାନ୍ତି । ଏକ ଜାତୀୟ ଦଳ ପାଇଁ ଆଂଚଳିକ ପ୍ରସଙ୍ଗର କିଛି ମୂଲ୍ୟ ନାହିଁ । ଆମର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଜାତୀୟ ଦଳମାନଙ୍କର ଚିନ୍ତା ନାହିଁ । ରାଜ୍ୟ ସ୍ୱାର୍ଥ କଥା ଜାତୀୟ ଦଳରେ ଉଠାଇବାକୁ କେହି ନାହିଁ । କଂଗ୍ରେସ ସରକାର ସମୟରେ ଓଡିଶାକୁ ଦିଲ୍ଲୀ ରିମୋଟ କଣ୍ଟ୍ରୋଲରେ ଚଲାଉଥିଲା । ବିଜେପି ଶାସିତ ରାଜ୍ୟର ନେତାମାନେ ମଧ୍ୟ ଜାତୀୟ ନେତାଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି । ଏଥିରେ ଆଂଚଳିକ ଦଳ ସହ ତୁଳନା କରନ୍ତୁ । ବିଶେଷ କରି ବିଜୁ ଜନତା ଦଳ କେବଳ ଓଡିଶା କଥା ହିଁ ଚିନ୍ତା କରୁଛି । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଓଡିଶାବାସୀ ହେଉଛନ୍ତି ଆମର ବସ୍ । ଆମେ କେବଳ ଓଡିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛୁ । ଉଭୟ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଏମାନେ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବିଷୟ ୧ ନମ୍ବରରେ ରଖିଥିଲେ । ନିର୍ବାଚନ ପରେ ଏହି ଦାବିକୁ ଭୁଲିଗଲେ । କିନ୍ତୁ ବିଜେଡି ଏଥିପାଇଁ ଲଢେଇ ଜାରି ରଖିବ । ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସବୁବେଳେ ଉଠାଇବ । ଏକ ଆଂଚଳିକ ଦଳ ହିଁ ରାଜ୍ୟ ପାଇଁ ଲଢେଇ କରେ । ଆଂଚଳିକ ଦଳ ହିଁ ଓଡିଶାର ସ୍ୱତନ୍ତ୍ରତାକୁ ବଜାୟ ରଖିପାରିବ । ଜାତୀୟଦଳମାନେ ଓଡିଶା ସ୍ୱାର୍ଥକୁ ଦେଖିବେନି ବୋଲି ନବୀନ କହିଛନ୍ତି ।
ଏଥିରେ ନବୀନ ଯେଉଁ ରାଜ୍ୟନେତାଙ୍କ ଗୋଟିଏ ଲକ୍ଷ୍ୟ ମନ୍ତ୍ରୀ ହେବା ଓ ପଦବୀ ପାଇବା ବିଷୟ ଆକ୍ଷେପ କରି କହିଛନ୍ତି, ତାହା ପଛରେ ଉଦ୍ଦେଶ୍ୟ ଅନ୍ତର୍ନିହିତ ହୋଇ ରହିଛି । ନବୀନ ଏହି ବାଣ ବିଜେପିର କେଉଁ ନେତାଙ୍କ ଉଦ୍ଦେଶ୍ୟରେ ମାରିଛନ୍ତି, ତାହା ବେଶ ବୁଝାପଡିଯାଉଛି । ନବୀନ ସେହି ନେତାଙ୍କ ଛବି ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଚାହୁଛନ୍ତି ଯେ, ନିଜ ସ୍ୱାର୍ଥ ବ୍ୟତୀତ ରାଜ୍ୟ ସ୍ୱାର୍ଥକୁ ଏଭଳି ନେତା କେବେ ଦେଖନ୍ତି ନାହିଁ । ଏଣୁ ଏମାନଙ୍କ କଥାରେ ନଢଳିବାକୁ ପରୋକ୍ଷ ସୂଚନା ଦେଇଛନ୍ତି । ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ପୁଣି ଏକ ବିବାଦ ସୃଷ୍ଟି କରିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରୁ ନବୀନ ଏ ଯାଏ ହଟିନାହାନ୍ତି । ଏଥିସହ କେନ୍ଦ୍ରର ବୈମାତୃକ ମନୋଭାବ ବିଷୟ ମଧ୍ୟ ପୁଣି ଅନେକ ଦିନ ପରେ ଦୋହରାଇଛନ୍ତି । ମହାନଦୀଠୁ ଆରମ୍ଭ କରି ଖଣିଜ ସଂପଦ ଭରା ଓଡିଶାର ସ୍ୱାର୍ଥକୁ କେନ୍ଦ୍ର ଗୁରୁତ୍ୱ ଦେଉନଥିବା ସେ ଦର୍ଶାଇବାକୁ ଚାହିଁଛନ୍ତି । ବିଜେପି କି କଂଗ୍ରେସ ଓଡିଶାର ସ୍ୱାର୍ଥକୁ ରକ୍ଷା କରିପାରିବେ ନାହିଁ ବୋଲି ଏହି ବାର୍ତା ଜନସାଧାରଣଙ୍କୁ ଦେବା ପାଇଁ ନବୀନ ଉଦ୍ୟମ କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ନବୀନ ବିରୋଧୀଙ୍କୁ ଚେତାଇ ଦେଲେ ଯେ, ତାଙ୍କ ଛବି ଖରାପ କରିବାକୁ କେହି ଉଦ୍ୟମ କଲେ ସେ ଛାଡିବେନି ବୋଲି କୁହାଯାଉଛି ।