ଯାଜପୁର,୦୭.୧୨.୨୦ ଯାଜପୁର ଜିଲ୍ଲାରେ ଥିବା ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନ ପ୍ରବେଶ ପଥ ସମ୍ମୁଖରେ ସୋମବାର ଅପରାହ୍ଣରେ ଦୁଇଜଣ ଟ୍ୟାକ୍ସି ଡ୍ରାଇଭର ମଧ୍ୟରେ ଛୁରାମାଡ଼ । ଛୁରାମାଡ଼ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ପୂର୍ବ ଝଗଡ଼ାକୁ ନେଇ ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ସୂଚନାମୁତାବକ କୋରେଇ ଥାନା ଶିଶୁଆ ଗ୍ରାମର ବିରଞ୍ଚି ମହାରଣା ଓ ହଳଦୀଗଡ଼ିଆ ଗ୍ରାମର ସୁଧୀର କୁମାର ଧୀର୍ ଉଭୟ ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡର ଟ୍ୟାକ୍ସି ଚାଳକ ଭାବେ କାର୍ଯ୍ୟ କରନ୍ତି । ଆଜି ଅପରାହ୍ଣରେ ଉଭୟଙ୍କ ମଧ୍ୟରେ ଥିବା ପୁର୍ବ ଶତ୍ରୁତାକୁ ନେଇ ଅଳ୍ପ ବଚଶା ହୋଇ ଝଗଡ଼ାଟି ଉଗ୍ରରୂପ ଧାରଣ କରିଥିଲା । ସୁଧୀର ଏକ ଛୁରୀରେ ବିରଞ୍ଚିର ପେଟକୁ ଭୁଶି ଦେଇଥିଲା । ବିରଞ୍ଚିର ଅବସ୍ଥା ଗୁରୁତର ଥିବା ଦେଖି ସେଠାରେ ଉପସ୍ଥିତ ଥିବା
ଡ୍ରାଇଭରମାନେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି ରେଳ ଷ୍ଟେସନର ଯାତ୍ରୀ ପ୍ରବେଶ ପଥ ସମ୍ମୁଖ ଭାଗରେ ରେଳବାଇ ସୁରକ୍ଷା ପୋଲିସ ପକ୍ଷରୁ ଜଣେ ପୋଲିସ ସବୁ ସମୟରେ ଡ଼୍ୟୁଟି କଲେ ଷ୍ଟେସନ ସମ୍ମୁଖ ଭାଗରେ ବାରମ୍ବାର ଝଗଡ଼ା ଝାଣ୍ଟି ହୁଅନ୍ତା ନାହିଁ ଓ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରନ୍ତେ ।