19.1 C
Bhubaneswar
Sunday, November 24, 2024
Homeଓଡିଶାସରକାରୀ ସହାୟତା ଅପେକ୍ଷାରେ ଶୁକାନ୍ତି

ସରକାରୀ ସହାୟତା ଅପେକ୍ଷାରେ ଶୁକାନ୍ତି

ଚନ୍ଦ୍ରପୁର : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବୁଡୁବାଲି ପଞ୍ଚାୟତ ହିରାପୁର ଗାଁ’ର ଝିଅ ଶୁକାନ୍ତି  ଆଉ ତା’ ଦୁଖୀ ସଂସାର ବିଷୟରେ ତଥ୍ୟ ରଖୁଛୁ । ପାହାଡ଼ି ଝରଣାଟି ଭଳି ଦିନେ ଗାଁ’ ଦାଣ୍ଡ ଦୁଲୁକାଉଥିବା ଅଭିଆଡ଼ି ଝିଅ ଶୁକାନ୍ତି ଦିନେ ଗାଁ’ ଲୋକଙ୍କ ସହିତ କାମ କରିବା ଆଶାରେ କେରଳ ଚାଲି ଯାଇଥିଲା । ପେଟ ପାଇଁ ଭିଟାମାଟି ଛାଡି ଶହଶହ ଯୁବକ ଯୁବତୀ ଏଠାରୁ ଅନ୍ୟ ରାଜ୍ୟକୁ ଯାଇଥା’ନ୍ତି । କେରଳରେ ଶୁକାନ୍ତି କାମ କରିବା ସମୟରେ ସେଠାକାର ଜଣେ ଶ୍ରମିକ ସହିତ ପ୍ରେମ ହେଲା, ପରେ ଦୁଇ ଜଣ ବିବାହ କରି ଚନ୍ଦ୍ରପୁର ଫେରି ଆସିଲେ । କେରଳର ଏହି ଯୁବକ ଶୁକାନ୍ତି ସହ ଗାଁ’ରେ ରହିଲା । ଉଭୟେ କାମଧନ୍ଦା କରି ପରିବାର ଚଳାଇଲେ । ସେମାନଙ୍କର ଚାଷ ଜମିବାଡ଼ି କିଛି ନଥିଲା । ସରକାରୀ ଜାଗାରେ ଗ୍ରାମବାସୀଙ୍କ ସହାୟତାରେ ଝାଟିମାଟି ଘର ଘଣ୍ଡେ କରି ରହିଲେ । ଘରର ଛାତ କହିଲେ ମଗା ଜଚା ଭଙ୍ଗା ଆଜବେଷ୍ଟ କେଇଖଣ୍ଡ । ଘର କାନ୍ଥ ଜଙ୍ଗଲୀ ଗଛର ଝାଟି । ଏପଟସେପଟ ଦେଖିଲେ ଦେଖାଯିବ । ଶୀତ ଆଉ ବର୍ଷାଋତୁରେ ଚଳିବା ବିପଦ ପୂର୍ଣ୍ଣ । ୟା\’ଠୁ ବଡ ଦୁଃଖ କଥା ଥିଲା, ବିବାହର ଆଠ ବର୍ଷ ମଧ୍ୟରେ ଏମାନଙ୍କର ତିନୋଟି ମସ୍ତିଷ୍କ ଭିନ୍ନକ୍ଷମ ପିଲା ଜନ୍ମକୁ ନେଇ । ବଡ ପୁଅ କାର୍ତ୍ତିକ(୮)ସାନପୁଅ ସୁମନ(୬)ସବା ସାନ ଝିଅ ଶାମୁକା(୪) ସମସ୍ତେ ଭିନ୍ନକ୍ଷମ । ଏସବୁ ଦେଖି ବାପା ମା’ ଭାଙ୍ଗି ପଡ଼ିଥିଲେ । ଅନେକ ଚେଷ୍ଟା କରିଥିଲେ ସେମାନଙ୍କୁ ଭଲ କରିବା ପାଇଁ ହେଲେ ଆଜି ଯାଏ ସମ୍ଭବ ହେଉନି । ଯେଉଁଠି ପେଟ ପାଇଁ ଅହରହ ସଂଘର୍ଷ ଚାଲେ ସେଠି ରୋଗୀଣା ମଣିଷ ମଶାଣି ମୁହାଁ ହୋଇଥାଏ ।

ଏହି ବିଷମ ସମୟରେ ସାତ ଜନ୍ମ ପାଇଁ ସାଥ ଦେବାର ପ୍ରତିଶ୍ରୁତି ଦେଇଥିବା କେରଳି ସ୍ୱାମୀ ହାତ ଛାଡି କେରଳ ଚାଲିଗଲା ଯେ ଆଜି ପର୍ଯ୍ୟନ୍ତ ଫେରିଲା ନାହିଁ । ଆଉ ଫେରିବାର ଆଶା ବି ନାହିଁ । ବିଚାରି ଶୁକାନ୍ତି ତିନି ଭିନ୍ନକ୍ଷମ ପିଲାଙ୍କୁ ଧରି ପର ଘରୁ ମାଗିଯାଚି ଚଳିବାକୁ ପଡୁଛି । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ, ରାସନ କାର୍ଡ ନାହିଁ, ନିରାଶ୍ରୟ ଭତ୍ତା ନାହିଁ, ଭିନ୍ନକ୍ଷମ ସହାୟତା ନାହିଁ । ଖାଲି ଅଛି ଅସହନୀୟ ଦୁଃଖ ଉପରେ ଅସରନ୍ତି ଦୁଃଖ । ଏବିଷୟକୁ ନେଇ ସେ ସ୍ଥାନୀୟ ସରପଞ୍ଚ, ବିଡିଓଙ୍କୁ ଅନେକ ବାର ଦେଖା କରିବା ପରେ ସେମାନେ ତାକୁ ଆଧାର କାର୍ଡ ମାଗିଥିଲେ । ବିଚାରି ଜନସେବା କେନ୍ଦ୍ରକୁ ଯାଇ ଦୁଇ ଦୁଇ ଥର ଦରଖାସ୍ତ କଲାପରେ ମଧ୍ୟ ତାକୁ ଆଧାର କାର୍ଡ ମୁଳୁନାହିଁ ।  ସୁକାନ୍ତିକୁ ପରିବାର ଖାଇବା ଚିନ୍ତା ସହ ପିଲା ମାନଙ୍କ ଭବିଷ୍ୟତ ଚିନ୍ତା ଅଧିକ ଘାରିଛି । ସେମାନଙ୍କ ଚିକିତ୍ସା, ପାଠପଢ଼ା ପରି ଅନେକ ଅଭାବ ମଧ୍ୟରେ ସେ ଛନ୍ଦି ହୋଇ ପଡୁଛି । ଘର ଢ଼ିଅ ନଥିବାରୁ ଅନେକଙ୍କ ଆବାସ ଯୋଜନା ଅର୍ଥ ଫେରି ଯାଉଥିବା ବେଳେ ଶୁକାନ୍ତିକୁ କେବେ ଘର ଖଣ୍ଡେ ମିଳିବ ତାହା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଅସମୟରେ ନିରାଶ୍ରୟ ଗରିବ ମହିଳା ଶୁକାନ୍ତି ତା ପରିବାରକୁ ସାହାରା ପାଇଁ ପ୍ରଶାସନକୁ ଆକୁଳ ଗୁହାରି କରୁଛି, ତା\’ପରିବାରର ଖାଦ୍ୟ, ସ୍ୱାସ୍ଥ୍ୟ ଓ ବାସଗୃହ ପାଇଁ ସରକାରୀ ଯୋଜନାରୁ ତାକୁ ସାହାଯ୍ୟ କରାଯାଉ । ବାପା-ମା’, ସ୍ୱାମୀ ସଭିଙ୍କୁ ହରାଇଛି ଶୁକାନ୍ତି, ତିନି ଅକ୍ଷମ ପିଲାଙ୍କୁ ଜଗି ବସି ସେ ବି ଅକ୍ଷମ ହୋଇ ଯାଇଛି । ଏମାନଙ୍କୁ ଛାଡି ପରଘରେ ଅବା କ୍ଷେତକୁ ପାଇଟି କରିବାକୁ ଯାଇ ପାରୁନି । ଏଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଗରିବ ନିରାଶ୍ରୟ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ହୀରାପୁର ଗ୍ରାମବାସୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking