ହତ୍ୟାକାରୀକୁ ଗିରଫ ଦାବିରେ ଧାରଣା : ପୁଲିସ-ଗ୍ରାମବାସୀ ମୁହାଁ ମୁହିଁ

ବରଗଡ : ହତ୍ୟାକାରୀକୁ ଗିରଫ ଦାବି ନେଇ ଭେଡେନ ଥାନା ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଭଙ୍ଗାରୁଜା ଓ ପୁଲିସକୁ ମାଡ ମରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ଉତ୍ତେଜନା ଜାରି ରହିଥିବା ବେଳେ ଭେଡେନ ଥାନା ସମ୍ମୁଖରେ ପୁଲିସ ମୁତୟନ ରହିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,  ଗତ ଜୁଲାଇ ୧୮ରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବୁର୍ଦ୍ଦା ଗ୍ରାମର ଲିଙ୍ଗରାଜ ନାଏକଙ୍କ ପୁଅ ଗିରିଧାରୀ ଓରଫ ଜିତୁ ନାଏକଙ୍କ ମୃତଦେହ ଖଳାରେ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ଜିତୁଙ୍କ ବାପା ଲିଙ୍ଗରାଜ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ ।

ଅପରପକ୍ଷେ ପୁଲିସ ତଦନ୍ତରେ ଅବହେଳା କରୁଥିବା ଓ ହତ୍ୟାକାରୀକୁ ଗିରଫ କରୁ ନଥିବା ଅଭିଯୋଗ କରି ମଙ୍ଗଳବାର ଜିତୁଙ୍କ ପରିବାର ଓ ଗ୍ରାମବାସୀ ଭେଡେନ ଥାନାରେ ଧାରଣା ଦେବା ସହ ଅନଶନ ରେ ବସିଥିଲେ । ପ୍ରେମ ସଂପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଜାଣିଶୁଣି ହତ୍ୟାକାରୀକୁ ଗିରଫ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିସହ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।  ପରେ ଉତ୍ୟକ୍ତ ଗ୍ରାମବାସୀ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଢ଼େଲା ମାଡ କରିଥିଲେ । ଅପରପକ୍ଷେ ପୁଲିସ ମଧ୍ୟ ଉତ୍ୟକ୍ତ ଜନସାଧାରଣଙ୍କୁ ଘଉଡାଇବାକୁ ଯାଇ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି । ଫଳରେ କିଛି ପୁଲିସ କର୍ମୀ ସହ ଜନସାଧାରଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଭେଡେନ ଥାନା ସମ୍ମୁଖରେ ଉତ୍ତେଜନା ଲାଗି ରହିଥିବା ସହ ପୁଲିସ ଫୋର୍ସ ମୁତୟନ ରହିଛନ୍ତି ।  

LEAVE A REPLY

Please enter your comment!
Please enter your name here