ନୂଆଦିଲ୍ଲୀ: କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଝାଡ଼ଖଣ୍ଡ କୋଲବ୍ଲକ ଦୁର୍ନୀତି ମାମଲାରେ ସ୍ପେଶାଲ କୋର୍ଟ ଜର୍ଜ ଭାରତ ପରାଶର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବରେ ସେ ଏହି ମାମଲାରେ ଦୋଷୀ ହୋଇଛନ୍ତି। ଏଥିସହ କୋଇଲା ମନ୍ତ୍ରାଳୟର ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୪ରେ ସେମାନଙ୍କ ବିରୋଧରେ କୋର୍ଟ ଦଣ୍ଡ ଘୋଷଣା କରିବା ନେଇ ସୂଚନା ମିଳିଛି। ତେବେ ସିବିଆଇ ମଧ୍ୟ ଏହି ମାମଲାରେ ଦୋଷୀ ବୋଲି ଦର୍ଶାଯାଇଥିବା କନଷ୍ଟ୍ରକ୍ସନ ଟେକ୍ନୋଲୋଜୀ ଲିମିଟେଡ ଏବଂ କନଷ୍ଟ୍ରକ୍ସନ ମାଇନିଂ ଲିମିଟେଡ ଉପରେ ବିପୁଳ ଜରିମାନା ଲାଗୁ କରିବାକୁ ଦାବି କରିଛି । ସୂଚନା ଅନୁଯାୟୀ, ଭିଡିଓ କନଫରେନ୍ସିଂ ଜରିଆରେ ଯେତେବେଳେ ଶୁଣାଣୀ ଚାଲିଥିଲା ସିବିଆଇ କହିଥିଲା ଯେ, ଏବେ ଦୁର୍ନୀତି ମାମଲାରେ ସରକାରୀ ବାବୁମାନଙ୍କ ସଂପୃକ୍ତି ଦିନକୁ ଦିନ ବୃଦ୍ଧି ପାଉଛି । ସେଥିପାଇଁ ସେମାନଙ୍କୁ କଠିନରୁ କଠିନ ଦଣ୍ଡ ବିଧାନ କରାଯିବା ଉଚିତ । ତେବେ ଶ୍ରୀ ରାୟଙ୍କୁ ଆଇପିସିର ଯେଉଁ ଧାରା ଅନୁଯାୟୀ ଦୋଷୀ ଘୋଷଣା କରାଯାଇଛି ତା ମଧ୍ୟରେ ଧାରା ୪୦୯ ବି ରହିଛି । ସାଧାରଣ ଭାବରେ ଏହି ଧାରା ସେତେବେଳେ ଲାଗୁ ହୁଏ, ଯେତେବେଳେ ଜଣେ ବ୍ୟକ୍ତି ସାର୍ବଜନୀନ ପଦବୀରେ ଥାଏ ଏବଂ ସେ ବିଶ୍ୱାସଭଙ୍ଗ କଲେ ତା ବିରୋଧରେ ଏହି ଧାରା ଲାଗୁ କରାଯାଏ । ଯାହାଫଳରେ ସେ କାରାଦଣ୍ଡ ପାଇବାର ବିଧାନ ରହିଛି । ସେଥିପାଇଁ ଶ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ ବୋଲି ସିବିଆଇ କହିଛି । ଅନ୍ୟପଟେ ଦୋଷୀମାନେ କୋର୍ଟକୁ ନିବେଦନ କରି କହିଥିଲେ ଯେ, ସେମାନେ ପୂର୍ବରୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତା ବାଦେ ସେମାନେ ବୟସାଧିକ୍ୟ ଥିବାରୁ ଏହାକୁ ଦୃଷ୍ଟିରେ ରଖି କୋର୍ଟ ସେମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ।