ମୟୂରଭଞ୍ଜ(ଘାସିରାମ ବେହେରା)- ବୟସର ସାୟାହ୍ନରେ ଦୟନୀୟ ଅବସ୍ଥାରେ କଟୁଛି ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଜୀବନ । ନା ଅଛି ଘର ନା ଦୁଇ ଓଳି ଖାଇବା ଜୁଟାଇବାର ସାମର୍ଥ୍ୟ। ଜରିପାଲ ତଳେ ତୋ ପୁଣି କେତେବେଳେ ଗଛମୂଳ ଛାଇ ପାଲଟିଛି ଆଶ୍ରୟ ସ୍ଥଳ। ବୃଦ୍ଧ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଦୟନୀୟ ଅବସ୍ଥା ଦେଖି ଗାଁର ଯୁବଗୋଷ୍ଠୀ ପାଲଟିଛନ୍ତି ସାହାଭରସା । ହେଲେ ଏମାନଙ୍କ ପାଇଁ ସରକାରୀ ଆବାସଯୋଜନା ପାଲଟିଛି ଉପହାସ। ଖରାବର୍ଷା ସହି କେତେବେଳେ ଜରିପାଲ ତୋ କେତେବେଳେ ଗଛ ତଳେ ପଡିରହିଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ଦମ୍ପତି। ଓଳିଏ ଖାଇଲେ ଆଉ ଓଳିଏକୁ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡା ବ୍ଲକ ନୂଆଗାଁ ପଞ୍ଚାୟତ ଅଧିନ ସନ୍ନ୍ୟାସୀ ଗ୍ରାମରେ । ବୃଦ୍ଧ ଦମ୍ପତି ହେଲେ ଡୁହିକା ହାସଦାଃ ଓ ତାଙ୍କ ସ୍ତ୍ରୀ ଫୁଲମଣୀ ହାସଦାଃ । ଆଦିବାସୀ ବୃଦ୍ଧଦମ୍ପତିଙ୍କ ଦୁଇପୁଅ ଥାଇବି ଅସହାୟ। ୬/୭ ବର୍ଷ ହେବ ବାହାରକୁ କାମ କରିବାକୁ ଗଲେ ଯେ ଆଜି ପର୍ଯ୍ୟନ୍ତ ନା ଘରକୁ ଫେରିଛନ୍ତି ନା ବୁଢା ବାପା ମାଆ କଥା କିଛି ବୁଝୁଛନ୍ତି । ବୃଦ୍ଧ ଦମ୍ପତି ଯେଉଁ ଘରେ ରହୁଥିଲେ ଦୁର୍ଭାଗ୍ୟବଶତଃ ବର୍ଷେରୁ ଉର୍ଦ୍ଧ୍ବ ହେବ ମୁଣ୍ଡଗୁଞ୍ଜିବାର ଏକମାତ୍ର ସାହାର ଥିବା ଘରଟି ବି ଭାଙ୍ଗିଗଲା । ଘର ଭାଙ୍ଗିବା ପରେ ବୃଦ୍ଧ ଦମ୍ପତି ପୁରା ଭାଙ୍ଗି ପଡିଲେ । ଏ ବୟସରେ ନା କାମ କରିହେବ ନା ଘର ମରାମତି। ସରକାରୀ ଭାବେ ଭତ୍ତା ଓ ଚାଉଳ ମିଳେ ସତ କିନ୍ତୁ ପଞ୍ଚାୟତରୁ ଚାଉଳ ଆଣିବାକୁ ସକ୍ଷମ ନୁହନ୍ତି ବୃଦ୍ଧ ଦମ୍ପତି । ପଞ୍ଚାୟତରୁ ଅସହାୟ ଲୋକଙ୍କ ଘର କୁ ଚାଉଳ ଭତ୍ତା ଟଙ୍କା ଆଣି ଘରେ ଦେବାର ବ୍ୟବସ୍ଥା ଅଛି ସତ କିନ୍ତୁ ନୂଆଗାଁ ପଞ୍ଚାୟତରେ ସରକାରୀ ବ୍ୟବସ୍ଥାକୁ ଫୁ ରେ ଉଡାଇଦିଆଯାଇଛି । କେବଳ ଆମ୍ଫାନ ବାତ୍ୟା ସମୟରେ ଘରେ ଚାଉଳ ଓ ଭତ୍ତା ଟଙ୍କା ପଞ୍ଚାୟତ ତରଫରୁ ଆଣି ଦିଆଯାଇଥିଲା ବୋଲି କହିଛନ୍ତି । ଅନ୍ୟ ସମୟରେ ଗ୍ରାମବାସୀ ମାନେ ଡୁହିକା ହାସଦାଃ ଙ୍କ ପାଇଁ ପଞ୍ଚାୟତରୁ ଚାଉଳ ଆଣି ଦିଅନ୍ତି । ତେବେ ସ୍ୱାମୀ ଡୁହିକା ପ୍ରାୟ ୧୫ବର୍ଷରୁ ଉର୍ଦ୍ଧ୍ବ ସମୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଅଚଳ ଅବସ୍ଥାରେ ପଡିରହି ଥିବା ବେଳେ ସ୍ତ୍ରୀ ଫୁଲମଣି କାମଦାମ କରି ବହୁ କଷ୍ଟରେ ସ୍ୱାମୀର ସେବାଶୁଶ୍ରୁଷା କରିବା ସହିତ ଦୁଇ ଛୋଟ ଛୁଆଙ୍କ ମୁହଁକୁ ଆହାର ଯୋଗାଡ଼ କରୁଥିଲା। ଫୁଲମଣିର ଧୈଯ୍ୟ ଆଉ କଷ୍ଟ ସାଙ୍ଗକୁ ନିରବଚ୍ଛିନ୍ନ ସ୍ୱାମୀସେବା ଆଗରେ ହାର ମାନିଲେ ଭଗବାନ ସୁସ୍ଥ ହେଲା ସ୍ୱାମୀ ଚାଲିବୁଲିବା ସହ ଧୀରେ ଧୀରେ କାମଦାମ ମଧ୍ୟ କରିବା ଆରମ୍ଭ କରି ଦୁଇପଇସା ରୋଜଗାର କରିବାରେ ସକ୍ଷମ ହେଲେ। ମାତ୍ର ବିଚିତ୍ର ବିଚାର ଭଗବାନଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ଖୁସି ବେଶୀଦିନ ରହିଲା ନାହିଁ। ଧୀରେ ଧୀରେ ସ୍ତ୍ରୀ ଫୁଲମଣି ଅସୁସ୍ଥ ହେବା ସହିତ ଅଚଳ ହୋଇପଡିଲେ। ଘରର ସବୁ ଦାୟିତ୍ବ ଡୁହିକା ଉପରେ ପଡ଼ିଲା। ତଥାପି ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କର ମଧୁରତା କମିବା ବଦଳରେ ବଢ଼ିବାରେ ଲାଗିଲା ମୁଣ୍ଡଗୁଞ୍ଜିବା ପାଇଁ ଘରର ଅଭାବ ହେଉ କି ପେଟର ଭୋକ ସମ୍ପର୍କରେ ପାଚେରୀ ହୋଇ ପାରିଲା ନାହିଁ।
ତେବେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଖାଦ୍ୟ, ଲୁଗାପଟା ସହିତ ଆବଶ୍ୟକ ଔଷଧ ପାଇଁ ଯଥେଷ୍ଟ ହେଉନି ଭତ୍ତା ଯୋଉଥିପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନ୍ୟପକ୍ଷରେ ଡୁହିକା ହାସଦାଃ ଠିକ ଭାବରେ ଚାଲି ପାରୁନଥିବା ବେଳେ ସ୍ତ୍ରୀ ଫୁଲମଣୀ ଆଦୌ ଚାଲି ପାରନ୍ତି ନାହିଁ । ଫୁଲମଣୀ ଘୁସୁରି ଘୁସୁରି ଦୁଇ ହାତରେ ଯିବା ଆସିବା କରନ୍ତି । ନିଜେ ଚଳିବାର ଅସୁବିଧାକୁ ଲକ୍ଷ୍ୟ କରି ଫୁଲମଣୀ ଗାଁ ରେ ଘରକୁ ଘର ଯାଇ ସାହାଯ୍ୟ ମାଗନ୍ତି । ଯାହା ଅତି ଦୁଃଖଦ ଘଟଣା । ତେବେ ଗ୍ରାମର ଯୁବକମାନେ ଦିବ୍ୟାଙ୍ଗ ବୃଦ୍ଧଦମ୍ପତ୍ତିଙ୍କ ପାଇଁ ସାହାରା ପାଲଟିଛନ୍ତି। ତେବେ ଅମ୍ପାନବାତ୍ୟାରେ ଗଛମୂଳେ ଜରିପାଲ ତଳେ ଶୋଇଥିବା ବେଳେ ରାତିରେ ପବନର ବେଗ ବଢିବାରୁ ଜରିପାଲ ଛିଡିଯାଇ ଭାଙ୍ଗି ଯାଇଥିଲା । ବର୍ଷାରେ ରାତିରେ ଭିଜି ଭିଜି ଗାଁ ର ଲୋକଙ୍କୁ ଡାକିଥିଲେ ଡୁହିକା,କିଛି ସମୟ ପରେ ଗାଁର ଯୁବକମାନେ ଖବରପାଇ ପହଞ୍ଚି ଉଦ୍ଧାର କରି ଗ୍ରାମ ଭିତରକୁ ଖଟରେ ଵୋହି ଆଣିଥିଲେ ଫୁଲମଣୀଙ୍କୁ । ଅମ୍ପାନ ଗଲା ପରେ ଗ୍ରାମର ଯୁବକ ମାନେ ପୁଣି ଜରିପାଲ କିଣି ଗଛମୂଳରେ ରହିବା ପାଇଁ ବ୍ୟବସ୍ଥା କରିଥିଲେ । ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଏ ବାବଦରେ ଜଣାଇ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବା ପାଇଁ କହି ଥକି ପଡିଲେଣି କିନ୍ତୁ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହା ନୂଆଗାଁ ପଞ୍ଚାୟତରେ ଗରିବ ଲୋକମାନେ ଉପେକ୍ଷିତ ହେଉଥିବା ବେଳେ ସରକାରୀ ଯୋଜନା ଉପହାସ ପାଲଟିଛି।
ଲଟାବୁଦା ପୂର୍ଣ୍ଣ ସ୍ଥାନରେ ରହୁଥିବା ବେଳେ କେତେବେଳେ କଣ ଦୁର୍ଘଟଣା ଘଟିବାର ଆଶଙ୍କାକୁ ମଧ୍ୟ ଏଠାରେ ଏଡାଇ ଯିବା ଅସମ୍ଭବ । ବର୍ଷା ଘଡଘଡି ପବନ ହେଲେ ଲୁଗାପଟା ପ୍ରସ୍ତୁତଖାଇବା ସାମଗ୍ରୀ,ଚାଉଳ ସବୁ ଭିଜି ନଷ୍ଟ ହୋଇଯାଏ ବୋଲି ଛଳଛଳ ଆଖିରେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ଡୁହିକା। ଅନେକ ସମୟରେ ସରକାରୀବାବୁମାନେ ଆସି ଦେଖି ବୁଝି ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥାନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ମିଳିନାହିଁ। କଣ କରିବି, କାହାକୁ ଘର ମାଗିବି ବୋଲି କହନ୍ତି ।
ତେବେ ପ୍ରଶାସନ ତଥା ସରକାର ଆବାସ ଯୋଜନାରେ ଘର ତଥା ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ଏନେଇ ମୋରଡା ବିଡ଼ିଓ ପ୍ରିୟବ୍ରତ ପାଢ଼ୀ ଙ୍କୁ ଯୋଗାଯୋଗ କରିବାରୁ ମୋ ନଜରକୁ ଏବେ ଆସିଲା ଯେତେ ଶିଘ୍ର ସମ୍ଭବ ହେବ ପଦକ୍ଷେପ ଗ୍ରହଣ କରି ବ୍ୟବସ୍ଥା କରିବୁ ବୋଲି ମତଦେଇ ଥିଲେ ।
ହେଲେ ଏହା ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତ୍ତିଙ୍କୁ ଆଜିପର୍ଯ୍ୟନ୍ତ ଘରଟିଏ ମିଳି ପାରିନଥିବା ବେଳେ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବାକୁ ପ୍ରଶାସନକୁ କେତେଦିନ ଲାଗୁଛି ଦେଖିବାକୁ ବାକି ରହିଲା।