ମୁହଁଟା ହାଣ୍ଡି ଭଳି କରି ବସିଥିଲେ ପ୍ରଭା।ମୁଡ଼ ତାଙ୍କର ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା।
ହବନି ବା କେମିତି ?
ରାତି ପାହିଲେ ରଜ ସଂକ୍ରାନ୍ତି,ପ୍ରତିବର୍ଷ ତାଙ୍କ ଘରେ ଦୁଇ ପ୍ରକାର ଚୁଲି ପୋଡପିଠା ହୁଏ ;ଜନ୍ତା ପୋଡ଼ପିଠା ଓ ବିରି ପୋଡ଼ପିଠା।
କାଲି ସକାଳୁ ନାତୁଣୀ ଟିନା ନୂଆ ଡ୍ରେସ ପିନ୍ଧିଲା ପରେ ତାକୁ ଚନ୍ଦନ,ଅଳିତା,
ନେଲପଲିସ ଲଗେଇଦେଇ ,ପ୍ରଭା ନିଜ ହାତରେ କରିଥିବା ପୋଡ଼ପିଠା ଖୁଆଇ ଦିଅନ୍ତି ଟିନା କୁ।
ଏବର୍ଷ ତାଙ୍କ ଦେହ ଟିକେ ଭଲ ନାହିଁ ବୋଲି ପୋଡ଼ ପିଠା ଦାୟିତ୍ୱ ବୋହୁ ଅନୁ ଉପରେ ଥିଲା ।
ହେଲେ ଅନୁକୁ କାଳେ ଆଜି ଛୁଟି ମିଳିଲାନି।ପ୍ରଭା ବିଶ୍ବାସ କରୁନଥିଲେ।ରଜ ଆଗରୁ ଗୋଟେ ମହିଳାଙ୍କୁ ଛୁଟି ମିଳିବନି ?
ଅନୁ ଅଫିସରୁ ଡେରିରେ ଫେରି, ଓଭାନ ରେ ପିଠା ବସେଇ ଦେଇଛି।
ସେଇଥିପାଇଁ ପ୍ରଭାଙ୍କ ମୁଡ଼ ଅଫ।କେତେ ଯତ୍ନ ରେ ଲୁହା କଡେ଼ଇ ଦୁଇଟାରେ ସେ ପିଠା କରନ୍ତି ? ପୋଡ଼ ପିଠାରେ ଗୁଡ଼,ନଡିଆ କୋରା,ନଡିଆ ପାତି, ଘିଅ,ଗୁଜୁରାତି, ବଡ଼ ଅଳେଇଚ,ଅଦା,ତେଜପତ୍ର,ଗୋଲମରିଚ ଦେଇ,ଜନ୍ତଣୀ କୁ କଦଳୀ ପତ୍ରରେ ଗୁଡ଼ାଇ,କଦଳୀ ପଟୁକା ବାନ୍ଧି ,ତଳେ ଉପରେ ରଡ଼ ନିଆଁ ଦେଇ ଉଠା ଚୁଲି ଉପରେ ବସାଇ ଦିଅନ୍ତି ସେ।
ପୋଡ଼ ପିଠା ବାସ୍ନାରେ ମହକି ଯାଏ ଘର ବାହାର। ସକାଳୁ ସକାଳୁ ପନିକିରେ ସେଇ ପୋଡ଼ ପିଠା କୁ ଖଣ୍ଡ ଖଣ୍ଡ କାଟି ସମସ୍ତଙ୍କୁ ବାଢି ଦିଅନ୍ତି ପ୍ରଭା।
ହେଲେ ଆଜି ଖରାବେଳେ ଅଦିନିଆ ବର୍ଷା ଯୋଗୁଁ ଛାତ ଉପରେ ଥିବା ଶୁଖିଲା କାଠ,ଘଷି,ନଡିଆ କତା, ଅଙ୍ଗାର ସବୁ ଓଦା।ପ୍ରଭା ,ନାତୁଣୀକୁ ଧରି ଗାଢ଼ ନିଦରେ ଶୋଇ ପଡ଼ିଥିଲେ ; ପୁଅ ବୋହୁ ତ ଅଫିସରେ।ତେଣୁ ସବୁ ଦୋଷ ପ୍ରମୋଦ ବାବୁଙ୍କ’ର।
– ବୁଢ଼ାଟିଏ ହେଲଣି,ବୁଦ୍ଧି ବୃତ୍ତି ଟିକିଏ ନାହିଁ ?ନିଜେ ଜିନିଷ ଛାତ ଉପରୁ ଆଣିଲନି କି ମୋତେ ବି ଟିକେ ନିଦରୁ ଉଠାଇଲନି ?ଏ ଘରେ ପୋଡ଼ପିଠା ନହେଲେ କାହାର ଯାଏଆସେ କେତେ ? ଏତେ ବର୍ଷ ହେଲା ଗୋଟେ ନୀତି ନିୟମ ମୁଁ ପାଳି ଆସୁଥିଲି।”
– ଓଭାନ ରେ ତ ହେଉଛି।ଚୁଲି ଓ ରଡ଼ ନିଆଁରେ ପିଠା ନହେଲେ କେଉଁ ମହାଭାରତ ଅଶୁଦ୍ଧ ହୋଇଯିବ ?”କହିଲେ ପ୍ରମୋଦବାବୁ।
– ପରମ୍ପରା ସବୁ ପୋଡିକି ଖାଅ।କିଏ ମନା କରୁଛି ?ସେଇଥିପାଇଁ ଆମ ନୂଆ ପିଢୀ ପିଜ୍ଜା ବର୍ଗର ଖାଉଛନ୍ତି ଜନ୍ମଦିନରେ ଅଣ୍ଡା ପଡିଥିବା ମଇଦା କେକ୍ ଖାଉଛନ୍ତି।ତମଘରେ ,ଆମ ଘରେ ପୋଡ଼ ପିଠା ହେଉଥିଲା ନା ନାହିଁ ?କର୍ମକୋଢି ହେଲେଣି ଲୋକେ।”
ଚୁପ କିନା ବସିଥିଲେ ପ୍ରମୋଦ ବାବୁ।
ଅନୁ ଜାଣୁଥିଲା ଶାଶୁଙ୍କର ଅସଲ ଅଭିମାନ ତା ଉପରେ,କାହିଁକି ସେ ଛୁଟି ନେଇ ଆଜି ଘରେ ରହି ପୋଡ଼ ପିଠା କଲାନି।ସେ ଚିନ୍ତା କରୁଥିଲା ଏଇନା ଶାଶୁଙ୍କମାନଭଞ୍ଜନ ପାଇଁ ତାକୁ କଣ କରିବାକୁ ପଡିବ।
– ବୋଉ ଆପଣ ଆଉ ରାଗନ୍ତୁନି ବାପାଙ୍କ ଉପରେ।ମୋର ତ କାଲି,ପହରଦିନ ଛୁଟି ଅଛି।ପାଖରେ ବସି ମୋତେ ସବୁ ବତାଇ ଦେବେ।ମୁଁ କରିବି।ତା ସହ ଛେନା ନଡିଆ ପୁର ବାଲା କାକରା ଆପଣଙ୍କୁ ଭଲ ଲାଗେ।ମୁଁ ବନାଇବି।କାଲି ସକାଳ ଟା ଓଭାନ ପିଠାରେ କାମ ଚଳାଇ ଦେବା।ବିରି ପୋଡପିଠା ଟା ମୁଁ କଡ଼େଇରେ ଗ୍ୟାସ୍ ଚୁଲିରେ ବସାଇ ଦେଉଛି।ଆଉ ଆଜି ଆପଣ ରାତିରେ ରୁଟି ବଦଳରେ ଚକୁଳି ପିଠା ଖାଇଦିଅନ୍ତୁ।ଘୁଗୁନି ବି ବନେଇଛି।”
ପ୍ରଭାଙ୍କ ମୁହଁଟା ଉଜ୍ବଳ ଦିଶିଲା।ପିଠା,ଘୁଗୁନି ତାଙ୍କର ପ୍ରିୟ।
ଅନୁ ଜାଣେ ,ଡ଼ାଇବେଟିସ ଯୋଗୁଁ ବାଧ୍ୟ ହୋଇ ରୁଟି ଖାଆନ୍ତି ଶାଶୁ,ହେଲେ ପିଠା,ଭାତ ତାଙ୍କର ପସନ୍ଦ।
ସକାଳେ ସମସ୍ତେ ଅନୁ ହାତ ଓଭାନ ଜନ୍ତା ପୋଡପିଠା,ଓ ଗ୍ୟାସଚୁଲି ରେ ତିଆରି ବିରି ପୋଡପିଠା ଖାଇ ପ୍ରଶଂସା କରୁଥିଲେ ଓ ଏହା ଚୁଲି ପୋଡ଼ ପିଠା ଅପେକ୍ଷା କୌଣସି ଗୁଣରେ କମ ନୁହେଁ ବୋଲି ବି ମନ୍ତବ୍ୟ ଦେଉଥିଲେ।
ପ୍ରଭାଙ୍କ ମୁଣ୍ଡରେ ଚାଲୁଥିଲା ଗୋଟେ ଆଇଡ଼ିଆ।ଅନୁ କୁ ଆଜି କେମିତି ଖୁଆଇବେ ଚୁଲି ପୋଡ଼ପିଠା।
ପୁଅ ଓ ସ୍ବାମୀଙ୍କ ଉଦ୍ଦେଶ୍ୟରେ କହିଲେ,
-ଆଜି ତ ସୋମବାର,ସଟଡାଉନ ଝମେଲା ନାହିଁ। ଗାଡି ଓ ଡ୍ରାଇଭର ତ ଅଛି।ଚାଲୁନ ଗାଁ ଆଡେ ଟିକେ ବୁଲି ଆସିବା।ଘଣ୍ଟାଏ ତ ବାଟ।ରହିବାର ନାହିଁ।ଅଳ୍ପ ସମୟ ବସି ତମ ଅପା,ବଡ଼ ଭାଇଙ୍କୁ ଦେଖି ଆସିବା।ଚୁଲି ପୋଡପିଠା ପାଟିରେ ବାଜିବ।”
ଗାଁରେ ପହଁଚିଲା ବେଳକୁ ଦିନ ଏଗାରଟା।ବଡ଼ ଯା ସମସ୍ତଙ୍କ ପାଇଁ ଇଟିଲି ଓ ମଟର ତରକାରୀ ଆଣିବା ଦେଖି ଆଶ୍ଚର୍ଯ୍ୟ ହୋଇ ପ୍ରଭା କହିଲେ,
– ଅପା,ଚୁଲି ପୋଡ଼ ପିଠା କାହିଁ ?”
– ଆଲୋ ଏଇ ଜନ୍ତାଜନ୍ତି,ବଟାଵଟି ଧନ୍ଦା ମୋ ଦେଇ ଆଉ ହେଉନି।ଗାଁରେ ଆଉ ଚୁଲି କାହିଁ ?ସବୁଘରେ ଗ୍ୟାସ ନହେଲେ ହିଟର।
ବୋହୁ ମାନଙ୍କ କଥା ତ ଜାଣିଛୁ।ଖାଲି ଖାଇ ଜାଣନ୍ତି,କଲା ବେଳକୁ ଭାରି କଷ୍ଟ ତାଙ୍କୁ।ପାନ୍ଥନିବାସ ରେ କାଳେ ଦୁହେଁ ରଜ କରନ୍ତି ଓ ପିଠା ଖାଇ ଦୋଳି ଖେଳନ୍ତି।କହୁଛନ୍ତି ଲକଡାଉନ ,ସଟଡାଉନରେ ରଜକୁ ଜର ହୋଇଛି ; କରୋନା ପାଇଁ କିଏ କରିବ ପିଠା ପଣା ?”
ସମସ୍ତେ ଅନୁ ଆଣିଥିବା ଓଭାନ ପୋଡପିଠା ଖାଇ ପ୍ରଶଂସା କରୁଥିଲେ,ଯାହା ପ୍ରଭାଙ୍କ ର ହଜମ ହେଉନଥିଲା।
ଘରକୁ ଫେରିଲା ବେଳକୁ ତାଙ୍କର ମନେପଡ଼ିଲା ଭୁବନେଶ୍ଵର ନୂଆପଲ୍ଲୀରେ ତାଙ୍କ ବଡ଼ ଭାଇଙ୍କ ଘର।ଭାଇ,ଭାଉଜଙ୍କୁ ଫୋନ କରି ଘଣ୍ଟାଏ ଭିତରେ ସେମାନେ ପହଞ୍ଚୁ ଛନ୍ତି ବୋଲି କହି,
ଡ୍ରାଇଭର କୁ କହିଲେ ନୂଆପଲ୍ଲୀ ଯିବାକୁ।
ସେମାନଙ୍କୁ ଦେଖି ଭାଇ,ଭାଉଜ ଖୁସିହେଲେ।
ପୁତୁରା ବୋହୁ ପ୍ରୀତି ସମସ୍ତଙ୍କୁ ମୁଣ୍ଡିଆ ମାରି ପ୍ଲେଟ ଧରାଇ ଦେଲା।
– ଆରେ,ଏତେ ସବୁ ଖାଇବା ଜିନିଷ ?ଦୁଇ ପ୍ରକାର ପୋଡପିଠା ସାଙ୍ଗକୁ, କାକରା,ମଣ୍ଡା,ନିମିକି,ଫେଣୀ, ଛେନାପୋଡ଼।ସାଙ୍ଗରେ ପାଚିଲା ଆମ୍ବ।
– କିଏ ଏସବୁ କରିଛି।”ପଚାରିଲେ ପ୍ରଭା।
ଭାଉଜ କହିଲେ,
– ମୋ ଦେଇ ପିଠାପଣା ହୁଏନି।ସବୁ ସେଇ ପ୍ରୀତି ତାର ନିଜେ କରିଛି।ଚାଖିକି କୁହ କେମିତି କରିଛି ।”
ପିଠା ସବୁ ଟିକେ ଟିକେ ଚାଖିଲେ ପ୍ରଭା।ପୋଡ଼ପିଠା ଜନ୍ତଣି ଏତେ ଭଲ ନଥିଲା,ନଡିଆ କମ ଥିଲା।
ମଣ୍ଡା ଓ କାକରା ମୋଟା ମୋଟା ହୋଇ ଗଢ଼ା ହୋଇଥିଲା ଓ ପୁର ବହୁତ କମ ଥିଲା,ଆଉ ନଡିଆ ପୁରରେ ଛେନା ବଦଳରେ ବୁଟ ଡାଲି ଥିଲା।ଫେଣୀ ଗୁଡାକ ଟିକେ ଚଉଡା କଟା ହୋଇଥିଲା।ତେବେ ଯାହାହେଉ ଏକୁଟିଆ ପ୍ରୀତି ଏତେ ସବୁ ଜିନିଷ କରିବା କଣ ସହଜ !ନିଷ୍ଠା ଓ ଘରୁଆ ମନୋବୃତ୍ତି ଦରକାର।
-କାକରା କଣ ମଇଦାରେ କରିଛୁ କି ପ୍ରୀତି ?ମିଠା ଟିକେ କମ ଅଛି ପୁରରେ।ପୋଡ଼ ପିଠା କେମିତି କଲୁ ଏଇ ବର୍ଷା ରେ ?”
– ନାଇଁ ଅପା,ସୁଜିକୁ ଗ୍ରାଇଣ୍ଡରରେ ଆହୁରି ପତଳା ଗୁଣ୍ଡ କରି ଜନ୍ତି ,ଅଳ୍ପ ମିଠା ଓ ପୁର ଦେଇଛି।ଦେହପାଇଁ ଭଲ ।ଆଜିକାଲି ସମସ୍ତଙ୍କୁ ଡାଇବେଟିସ।ଗଉଡକୁ ଘରୁ ଘଷି ଓ ଅଙ୍ଗାର ମଗେଇଥିଲି ପୋଡ଼ ପିଠା ପାଇଁ।
ଛେନାପୋଡ଼ କେମିତି ହୋଇଛି ?ତରବରରେ ଚିନି କାରାମେଲ ଟିକେ କମ ହୋଇଗଲା ବୋଲି କଲର କମ ଆସିଛି।”
ଆଶ୍ଚର୍ଯ୍ୟ ହୋଇ ପ୍ରଭାଙ୍କ ପାଟିରୁ ବାହାରି ପଡ଼ିଲା ,
– ତୁ ନିଜ ହାତରେ ଛେନାପୋଡ଼ କରିଛୁ ?ଭାଉଜ ଯାହା କୁହ ବୋହୁ ନୁହେଁ ହୀରା ଖଣ୍ଡେ ପାଇଛ।ଆଜିକାଲି କେଉଁ ବୋହୁ ଏତେ ସବୁ କରୁଛି ?ତୁ ଟିକେ ଏସବୁ ରେସିପି ଆମ ଅନୁକୁ ଶିଖାଇଦେବୁ।”
ସ୍ମିତ ହସି ପ୍ରୀତି କହିଲା,
– ଛେନା,ଚିନି ,ଗୁଜୁରାତି ଗୁଣ୍ଡ ମିଶାଇଦେଇ ଓଭାନରେ ବସାଇଦେବା କଥା।ଏଥିରେ ବଡ଼ କଥା କଣ?ଆଉ ଏଇ ରଜ ତ ବର୍ଷରେ ଥରେ।ଦିନେ ଅଧେ ଟିକେ ପରିଶ୍ରମ କଲେ କଣ ଅସୁବିଧା ?
ଅନୁ କହିଲା,
– ରେସିପି ଗୁଡାକ ମୋତେ ଦେବ।ମୁଁ ଆମ ଘରେ ବନାଇ ତୁମ ପାଇଁ ପଠାଇବି।”
– ତୁମକୁ ହ୍ବାଟ୍ସପ୍ କରିଦେବି ଅପା।”
ଆହା ପୁରା ସଂସ୍କାରୀ ଓ କାମିକା ବୋହୁ।ଶାଶୁ ପୁଣ୍ୟ କରିଥିଲେ ଏମିତି ବୋହୁ ପାଏ।
ବୋହୁପଣିଆ ୟାକୁ ହିଁ କୁହନ୍ତି।ତାଙ୍କ ନିଜ ବୋହୁ ମନ୍ଦ ନୁହେଁ,ହେଲେ ପ୍ରୀତି ଭଳି କରିତକର୍ମା ନୁହେଁ।ନହେଲେ କଣ ପଡିଶା ଘରୁ କାଠ,ଗଉଡ ଘରୁ ଘଷି,ଆଣି ପୋଡପିଠା କରିପାରିନଥାନ୍ତା ?
ଖାଇସାରି ଆଗେ ଅନୁ ଉଠିଗଲା ରୋଷେଇ ଘରକୁ।ଆମ୍ବ ଚୋପା ଡଷ୍ଟବିନରେ ପକାଇଲା ବେଳେ କିଛି ଜିନିଷ ଦେଖି ଚମକି ପଡ଼ିଲା ଅନୁ।
ବାହାରିଲା ବେଳେ ପ୍ରୀତି କହୁଥିଲା କିଛି ପ୍ୟାକ କରି ଦେବା ପାଇଁ।ପ୍ରଭା ମନା କଲେ।ବୋହୁଟା ଏତେ କଷ୍ଟ କରି କରିଛି ତା ଶାଶୁ ଶଶୁରଙ୍କ ପାଇଁ।ନିଜେ ତାକୁ ପୁଣି ବୋହିକି ନେବେ ?
ଘରକୁ ଫେରିଲା ବେଳେ ଅନୁ କହିଲା,
– ବୋଉ ଚାଲନ୍ତୁ ଟିକେ ଇସ୍କନ ମନ୍ଦିର ଦର୍ଶନ କରିଦେଇ ଯିବା।”
ଦର୍ଶନ ସାରି ବାହାରିଲା ବେଳକୁ ବାହାର କାଉଣ୍ଟରେ ଥିବା ପିଠା ପଣା, ମିଠା ଉପରେ ଆଖି ପଡ଼ିଲା ପ୍ରଭାଙ୍କର।
ଠିକ ପ୍ରୀତି ଦେଇଥିବା ଜିନିଷ ଭଳି ସବୁ ସଜେଇ ହୋଇ ରହିଛି।
ଗୋଟେ ମଣ୍ଡା ଓ କାକରା ଆଣି ପରୀକ୍ଷା କଲେ ପ୍ରଭା।ପୋଡ଼ ପିଠା ବି।ଠିକ ସମାନ ଟେଷ୍ଟ।ଏଇଠୁ ନେଇ,ମିଛ କହୁଥିଲା ପ୍ରୀତି !ତାଙ୍କ ବୋହୁ ଅନୁ କିନ୍ତୁ ସରଳ,ଜମା କପଟୀ ନୁହେଁ।
-ଆଲୋ,ପ୍ରୀତି କଣ ସେ ପିଠା,ମିଠା ସବୁ…
ହସିଦେଇ ଅନୁ କହିଲା,
– ଡଷ୍ଟ ବିନରେ ଇସ୍କନ ଜରି ଓ ବିଲ ପଡ଼ିଥିଲା।ମୁଁ ଦେଖିଥିଲି।”
– ଏଡିକି ଫୁଲେଇ, ଛଟକୀ ମିଛେଇ ସେ ପ୍ରୀତି ?ବାହାରୁ କିଣି ଆଣିଛି ବୋଲି ତ କହିପାରିଥାନ୍ତା।ଆଉ କେମିତିକା ଶାଶୁ ମୋ ଭାଉଜ ?ସେ ବି କେମିତି ଚୁପ ରହିଥିଲେ ?”
-ଭଲ ଶାଶୁ ବୋଲି ନିଜ ବୋହୂକୁ ସପୋର୍ଟ କରୁଥିଲେ ବୋଧେ।”ହସିଦେଇ କହିଲା ଅନୁ।
ପର୍ସରୁ ଟଙ୍କା କାଢି ସବୁ ପିଠା ମିଠା ନେବାକୁ ବରାଦ ଦେଲେ ପ୍ରଭା।
– ବୋଉ ,ଘରେ ତ ପିଠା ଅଛି ଓ ମୁଁ ପୁଣି କରିବି ।”
– ଏସବୁ ଭାଇଙ୍କ ଘରକୁ ପଠାଇଦେବୁ ଓ ତୁ ନିଜ ହାତରେ ବନାଇଛୁ ବୋଲି କହିବୁ।”
ଆଶ୍ଚର୍ଯ୍ୟ ହୋଇ ଅନୁ କହିଲା,
– କିନ୍ତୁ ସେମାନେ ତ ଜାଣିଦେବେ ଏହା ଏଇଠୁ କିଣା ହୋଇଛି ବୋଲି।”
ହସିଦେଇ ପ୍ରଭା କହିଲେ
– କହିଦେବୁ ପ୍ରୀତି ବତେଇଥିବା ରେସିପି ଶିଖି ବିଲକୁଲ ସେମିତି କରିଛୁ ତୁ।”
ଶାଶୁ,ବୋହୁ ହସୁଥିଲେ;ପ୍ରାଣ ଖୋଲା ହସ।