ଭୁବନେଶ୍ୱର: ଚାରିଆଡେ କରୋନା ଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଖବର ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲା ଏବେ ସବୁ ପାସ୍ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନେଇ ଏହି ନିଷ୍ପତି ନିଆଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏଁ ପିଲାଙ୍କୁ ପାସ ଘୋଷଣା କରାଯାଇଛି । ରାଜ୍ୟରେ କରୋନାର ପ୍ରଭାବ ଏବଂ ପରିସ୍ଥିତି ପାଇଁ ସବୁ ପିଲାଙ୍କୁ ପାସ୍ ଘୋଷଣା କରାଯାଇଛି । ଏନେଇ ଆଜି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ଭାବେ ପାସ୍ ଘୋଷଣା କରାଯାଇଛି । ସର୍ତ୍ତ ଅନୁସାରେ, ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବରକୁ ନେଇ ସେମାନଙ୍କୁ ପାସ୍ କରାଯିବ ବୋଲି ସୂଚନା ଦିଆଯାଇଛି । ଯେଉଁ ପରୀକ୍ଷା ହୋଇପାରିନି, ତାର ଷାଣ୍ମାସିକ ନମ୍ବରକୁ ନେଇ ପାସ୍ କରାଯିବ ।
ସେହିଭଳି ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ଯିବା ପାଇଁ ମଧ୍ୟ ସର୍ତ୍ତ ମୂଳକ ପ୍ରମୋସନ ରହିଛି । ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ସେମାନଙ୍କର ଏହି ପ୍ରମୋସନ ହେବ ବୋଲି କୁହାଯାଇଛି । ଆଉ ଯଦି କୌଣସି କାରଣରୁ ଛାତ୍ର କିମ୍ବା ଛାତ୍ରୀ ପରୀକ୍ଷା ଦେଇନଥିବେ, ତେବେ ସେମାନଙ୍କର ରିଟେଷ୍ଟ କରାଯିବ । ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ସଂପୃକ୍ତ ପିଲାଙ୍କ ରିଟେଷ୍ଟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।