ଫୁଲବାଣୀ: ନିଜର ଉଦ୍ୟମ ଓ ଚେଷ୍ଟା ଯୋଗୁଁ ଏକ ଅପହଞ୍ଚ ଇଲାକରେ ଅଞ୍ଚଳବାସୀଙ୍କ ମଧ୍ୟର ହସ ଫୁଟାଇଛନ୍ତି ଆଶା କର୍ମୀ ସଙ୍ଗୀତା ପ୍ରଧାନ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ସୋନପୁର ପଂଚାୟତର ସାଉତିଙ୍ଗିଆ ଗ୍ରାମବାସୀଙ୍କ ମୁହଁରେ ସେ ଫୁଟାଇ ପାରିଛନ୍ତି ହସ । ଗତ ଦିନରେ ଏହି ପଞ୍ଚାୟତର ଅନେକ ଅଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁହାର ସହିତ ଡ଼ାଇରିଆ ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲା । ଏହି ପଞ୍ଚାୟତର ଅନେକ କ୍ଷେତ୍ରରେ ଶିଶୁ ଓ ମାତୃ ମୃତ୍ୟୁହାର କମିଥିବା ବେଳେ ଉକ୍ତ ପଞ୍ଚାୟତର ସାଉତିଙ୍ଗିଆ ଗ୍ରାମର ନିୟୋଜିତ ହୋଇଥିବା ଆଶା କର୍ମୀ ସଙ୍ଗୀତା ପ୍ରଧାନ ବର୍ତ୍ତମାନ ସାଉତିଙ୍ଗିଆ ଗ୍ରାମବାସୀଙ୍କ ପାଇଁ ପାଲଟିଛନ୍ତି ଆଶାର ଆଲୋକ । ଏକଦା ଉକ୍ତ ଗ୍ରାମରେ ପ୍ରତ୍ୟେକ ବର୍ଷର ଶିଶୁ ଓ ମାତୃ ମୃତ୍ୟୁ ସହିତ ଅଜଣା ରୋଗ ଓ ଝାଡ଼ାବାନ୍ତିରେ ୩ ରୁ ୪ ଜଣ ଲୋକଙ୍କର ପ୍ରାଣ ଯିବା ସହିତ ଗୃହ ପ୍ରସବ ଏକ ସାଧାରଣ ଘଟଣା ପାଲଟିଥିଲା ।
ତେବେ ଗତ ୨୦୦୬ ମସିହାରେ ଉକ୍ତ ଗ୍ରାମରେ ଆଶା କର୍ମୀଭାବେ ନିଯୁକ୍ତି ପାଇବା ପରେ ଉକ୍ତ ଅଞ୍ଚଳରୁ ଏହି ମୃତ୍ୟୁ ସଂପୂର୍ଣ୍ଣ ଭାବେ ବନ୍ଦ ପାଇଁ ସେ ଶପଥ ନେଇଥିଲେ ଏବଂ ତାଙ୍କ ସ୍ୱପ୍ନ ମଧ୍ୟ ସଫଳ ହୋଇଛି । ଗତ ୨୦୧୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମର କେହି ମଧ୍ୟ ଅଜଣା ରୋଗ ହେଉ କିମ୍ବା ଡ଼ାଇରିଆରେ ମୃତ୍ୟୁବରଣ କରିନଥିବା ମଧ୍ୟ ଜଣାଯାଇଛି । ଗତ ଦିନରେ ହେଉଥିବା ଗୃହ ପ୍ରସବ ମଧ୍ୟ ବର୍ତ୍ତମାନ ଉକ୍ତ ଗ୍ରାମରେ ସଂପୂର୍ଣ୍ଣଭାବେ ବନ୍ଦ ହୋଇଥିବା ବେଳେ ଗତ ୮ ବର୍ଷ ମଧ୍ୟରେ ଗୋଟିଏ ମଧ୍ୟ ଗୃହ ପ୍ରସବ ହୋଇନଥିବା ପ୍ରକାଶ । ଗତ ୧୦ ମାସ ମଧ୍ୟରେ ଉକ୍ତ ଗ୍ରାମର ୧୪ ଟି ଶିଶୁ ଜନ୍ମ ହୋଇଥିବା ବେଳେ ସମସ୍ତେ ଦାରିଙ୍ଗବାଡ଼ି ଡ଼ାକ୍ତରଖାନାରେ ଜନ୍ମ ହୋଇଥିବାର ରେକର୍ଡରୁ ପ୍ରକାଶ ।
ଦାରିଙ୍ଗବାଡ଼ି ବ୍ଳକ ଠାରୁ ସୋନପୁର ପଂଚାୟତ ପ୍ରାୟ ୨୬ କିଲୋମିଟର ଦୂରରେ ଥିବା ବେଳେ ପ୍ରାୟ ୭୦ ବର୍ଷ ପରେ ଉକ୍ତ ଗ୍ରାମକୁ ଗମନା ଗମନ ସୁବିଧା ହୋଇ ପାରିଛି । ତେବେ ଉକ୍ତ ପଂଚାୟତ ୧୪ଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଂଚାୟତ ଠାରୁ ଏହି ସବୁ ୱାର୍ଡ଼ ମାନଙ୍କୁ ଯାତାୟତ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନଥିବାର ପ୍ରକାଶ । ସେହିଭଳି ଉକ୍ତ ଗ୍ରାମ ପୂର୍ବରୁ ମ୍ୟାଲେରିଆ ପ୍ରବଣ ଅଂଚଳଭାବେ ବେଶ୍ ପରିଚିତ ଥିବା ବେଳେ ଗତ ୧୦ ବର୍ଷ ହେଲା ଉକ୍ତ ଗ୍ରାମରେ ଜଣେ ମଧ୍ୟ କେହି ମ୍ୟାଲେରିଆରୁ ମୃତ୍ୟୁବରଣ କରିନଥିବା ପ୍ରକାଶ । ସଙ୍ଗୀତା ଆଶା କର୍ମୀଭାବେ ନିଯୁକ୍ତି ପାଇବାରେ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଶିଶୁ ଓ ମୃତ୍ୟୁ ହୋଇନଥିବା ବେଳେ ଏବେ ଏହି ଅପହଂଚ ଅଂଚଳର ଅଧିବାସୀଙ୍କ ପାଇଁ ସଙ୍ଗୀତା ପାଲଟିଛନ୍ତି ଆଶାର ଆଲୋକ ।