କୋଲକାତା: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ ଭାରତରେ ମଧ୍ୟ ଭୟ ସୃଷ୍ଟି କରିଛି । ପୂର୍ବରୁ କେରଳରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ କୋଲାକାତାରୁ ସମାନ ଖବର ଆସିଛି। ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି।
ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି।ଏନଏସସିବିଆଇ ଏୟାରପୋର୍ଟରେ ନିର୍ଦ୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ମଙ୍ଗଳବାର ହିମାଦ୍ରୀ ବରମନ ଓ ବୁଧବାର ନଗେନ୍ଦ୍ର ସିଂହ ନାମକ ଦୁଇ ଯାତ୍ରୀ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏମାନଙ୍କୁ ବେଲଘାଟ ଆଇଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଯାତ୍ରୀ ବ୍ୟାଙ୍କକରୁ ଏଠାକୁ ଆସିଥିଲେ। ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଚାଇନା ଓ କୋଲକାତା ମଧ୍ୟରେ ସିଧାସଳଖ ସେବା ଯୋଗାଉଥିବା ଦୁଇଟି ଯାକ ଏୟାରଲାଇନ୍ସ ସେମାନଙ୍କ ବିମାନ ଉଡ଼ାଣ ରଦ୍ଦ କରିଛନ୍ତି। ଇଣ୍ଡିଗୋ ଫେବୃଆରୀ ୬ରୁ ଅସ୍ଥାୟୀ ଭାବେ ଚାଇନାକୁ ଉଡ଼ାଣ ବନ୍ଦ ରଖିଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯାଉଛି।