ସମ୍ବଲପୁର : ପୁଲିସ ସହ ଗୁଳି ବିନିମୟ ପରେ ଶତାଧିକ ମାମଲାର ଅଭିଯୁକ୍ତ ବାବୁ କଙ୍ଗ (ସରଫରାଜ ଖାନ) ଧରାପଡ଼ିଛି । ତା ସହ ୪ ଜଣ ସହଯୋଗୀ ଅପରାଧୀ ମହମ୍ମଦ କୟୁମଙ୍କୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ବାବୁ କଙ୍ଗ ଏବଂ କୟୁମ ଖାନ ସୋମବାର ପୂର୍ବାହ୍ନରେ ଝାରସୁଗୁଡ଼ା ଜିଲ୍ଲାର ଶ୍ରିପୁରା ଇଲାକାରୁ ସମ୍ବଲପୁର ଜିଲ୍ଲାର ଠେଲକୁଲି ଥାନା ଡେର୍ବା ଜଙ୍ଗଲକୁ ଅନ୍ୟ ୨ ଜଣଙ୍କ ସହ ପ୍ରବେଶ କରିଥିଲେ । ଏମାନେ ଡକାୟତି କରିବା ପାଇଁ ଯୋଜନା କରିଥିବା ଖବର ପାଇ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଠେଲକୁଲି ଥାନା ପୁଲିସ ଡେର୍ବା ଜଙ୍ଗଲରେ ଚଢ଼ଉ କରିଥିଲେ । ବାବୁ କଙ୍ଗ ପୁଲିସ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ଏହାର ଜବାବରେ ପୁଲିସ ମଧ୍ୟ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା ।ଏଥିରେ ଉଭୟ ପକ୍ଷର କେହି ଆହତ ହୋଇନଥିଲେ ମଧ୍ୟ ବାବୁ କଙ୍ଗ ଓ ତାର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ଜଣେ ସବଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି । ଧସ୍ତାଧସ୍ତି ପରେ ପୁଲିସ ଦଳ ବାବୁ କଙ୍ଗ ଏବଂ କୟୁମ ଖାନଙ୍କୁ କାବୁ କରିଛି । ଧରାପଡ଼ିଥିବା ଉଭୟ ଅପରାଧୀ ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣର ବୋଲି ଜଣାପଡ଼ିଛି । ଏମାନଙ୍କ ଠାରୁ ଗୋଟିଏ କରି ମୋଟର ସାଇକେଲ, ପିସ୍ତଲ, ଜୀବନ୍ତ ଗୁଳି ଓ ବ୍ୟବହୃତ ଗୁଳିର ଖୋକା ଜବତ କରାଯାଇଥିବା ପୁଲିସ କହିଛି । ବାବୁ କଙ୍ଗର ନାଁରେ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଥାନା ଏବଂ ବିଭିନ୍ନ ରାଜ୍ୟରେ ଶତାଧିକ ଅପରାଧ ମାମଲା ରହିଛି । ବିଭିନ୍ନ ଅପରାଧରେ ସେ ମାଷ୍ଟର ମାଇଣ୍ଡ ଭାବେ ଚିହ୍ନିତ ହୋଇଛି । ହେଲେ ଆଜିର ଘଟଣାରେ ବାଇକରେ ଫେରାର ହୋଇଯାଇଥିବା ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି ।