ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବୁଧବାର ଥିଲା ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡ଼ିଥିବା ବେଳେ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି । ଅନ୍ୟପକ୍ଷରେ ମହାରାଜାଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡ଼ିଆରେ ଉଦଘାଟିତ ହୋଇଯାଇଛି ରଙ୍ଗମହଲ ।
ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହିତ ନଗର ଭ୍ରମଣରେ ବାହାରି ପ୍ରଜାମାନଙ୍କ ଦୁଃଖସୁଖ ବୁଝିଛନ୍ତି । ସେହିପରି ଧୀରେ ଧୀରେ ମହାରାଜା କଂସର ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ଏପରି ସ୍ଥିତରେ ମହାରାଜା କଂସଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦ୍ଘାଟିତ ହୋଇଯାଇଛି । ରଙ୍ଗମହଲରେ ମହାରାଜା କଂସ ନୃତ୍ୟ ଗୀତରେ ମଜ୍ଜି ଯାଇଥିବା ସହ ଏହାର ଦାୟିତ୍ୱ ସେନାପତି ସାତ୍ୟକି ହାତରେ ଅର୍ପଣ କରିଥିଲେ । ନିଜ ପିତା ଉଗ୍ରସେନଙ୍କୁ ରାଜସିଂହାସନରୁ ବେଦଖଲ କରି ଯୁବରାଜ କଂସ ମଥୁରା ସିଂହାସନ ଆରୋହଣ କରି ଆରମ୍ଭ କରି ଦେଇଛନ୍ତି ତାଙ୍କର ଅନ୍ୟାୟ, ଅତ୍ୟାଚାର । ଆଉ ସେଥିରୁ ମୁକୁଳି ପାରିନାହାନ୍ତି କଂସଙ୍କ ପରିବାର ବର୍ଗ ତଥା ସମଗ୍ର ମଥୁରାପୁରବାସୀ । ରାଜ୍ୟାଭିଷେକ ପରେ ଦେବକୀର ଅଷ୍ଟମ ଗର୍ଭ ଦ୍ୱାରା ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ଭୟରେ ମହାରାଜ କଂସ ମଥୁରା ନଗରୀର ପ୍ରଜା ତଥା କାରାଗାରରେ ଥିବା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଛି ଏବଂ ଦ୍ୱାରପାଳଙ୍କ ଠାରୁ ଖବର ପାଇ ଦେବକୀର ଗୋଟିଏ ପରେ ଗୋଟିଏ ୬ଟି ସନ୍ତାନକୁ ନିର୍ମମ ଭାବେ ହତ୍ୟାକରି ମହାରାଜା କଂସ ନିଜର ଅସୁରତ୍ୱକୁ ପ୍ରମାଣ କରିଛନ୍ତି । ଜଗତପାଳ ବିଷ୍ଣୁ ଯୋଗବଳରେ ଦେବକୀଙ୍କର ସପ୍ତମ ଗର୍ଭକୁ ହରଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିବା ବେଳେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରବଳ ବର୍ଷା ମଧ୍ୟରେ ନିଷିଦ୍ଧ ରାତ୍ରିର ଦ୍ୱିତୀୟ ପ୍ରହରରେ ମଥୁରା କାରାଗାର ମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ ନେଇଛନ୍ତି ସୃଷ୍ଟିର କର୍ତ୍ତା, ନ୍ୟାୟର ରକ୍ଷାକର୍ତ୍ତା ତଥା ସୃଷ୍ଟିର ସଂହାରକର୍ତ୍ତା ଶ୍ରୀକୃଷ୍ଣ ।
କଂସର ଶିଶୁ ହତ୍ୟା ଆଶଙ୍କାର ଚିନ୍ତାଶୀଳ ଦେବକୀ ବସୁଦେବ ନାରାୟଣଙ୍କୁ ସ୍ମରଣ କଲାପରେ ଜଗତକର୍ତ୍ତାଙ୍କ ମାୟାବଳରେ କାରାଗାରର ଦ୍ୱାର ଖୋଲିଯାଇଛି ଓ ଶ୍ରୀକୃଷ୍ଣକୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବା ସମୟରେ ନଗର ସୀମାନ୍ତରେ ସୀମାନ୍ତରକ୍ଷୀ ଉଗ୍ରସେନଙ୍କ ସହିତ ସାକ୍ଷାତ କରି ଉଚ୍ଛୁଳା ଯମୁନା ନଦୀ ପାର ହୋଇ ଗୋପପୁରରେ ପହଞ୍ôଚଛନ୍ତି ଏବଂ ନନ୍ଦରାଜାଙ୍କ ବାସଭବନରେ ପହଞ୍ôଚ ନିଦ୍ରିତ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା କାରାଗାରକୁ ଫେରିଛନ୍ତି ବସୁଦେବ । ଅନ୍ୟପଟେ ରାଜଦରବାରରେ ଦୁର୍ମିଳାସୁର ନିଜକୁ କଂସଙ୍କ ପିତା ବୋଲି ପ୍ରକାଶ କରିବା ପରେ ମହାରାଜ କଂସ ଦୁର୍ମିଳାସୁରକୁ ବଧ କରି ନିଜର ସୁରକ୍ଷା ପାଇଁ ମଲ୍ଲଯୋଦ୍ଧା ଚାଣୁର ଓ ମୁଷ୍ଟିକକୁ ଆହ୍ୱାନ ଦେଇଛନ୍ତି ପ୍ରବଳ ପ୍ରତାପୀକଂସ । ନିଜର ଅନ୍ତରରେ ଥିବା ମୃତ୍ୟୁ ପ୍ରତି ଭୟ କଂସାସୁରକୁ କରିଦେଇଛି ଉନ୍ମାଦ ଏବଂ ସେଥିରୁ ମୁକୁଳିବା ପାଇଁ ସ୍ୱୟଂ ମଥୁରାଧିପତି ସୁରାରେ ମତୁଆଲା ହୋଇ ନୃତ୍ୟଗୀତର ଆଦେଶ ଦେଇଛନ୍ତି ।
ଧନୁଯାତ୍ରାର ତୃତୀୟ ଦିବସ ଗୁରୁବାରରେ କଂସ ମହାରାଜାଙ୍କ ଶ୍ୟାମେଶ୍ୱର ବାବାଙ୍କ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ଶୀଳାରେ ପ୍ରହାର, ଦୈବବାଣୀ ଏବଂ ରାଜଦରବାରରେ କଂସଙ୍କ ମନ୍ତ୍ରଣା ଦୃଶ୍ୟ ଅଭିନୀତ ହେବାକୁ ଥିବା ବେଳେ ଗୋପପୁରରେ ନନ୍ଦ ଦରବାର ଉଦ୍ଘାଟନ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ପାଳିତ ହେବ ।