ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ବର୍ତ୍ତମାନ ନ୍ୟାସନାଲ ଆସେମ୍ବ୍ଲିରେ ଆଲୋଚନା ଚାଲିଥିବାବେଳେ ଆସନ୍ତା ୨୮ରେ ଭୋଟଗ୍ରହଣ କରାଯିବ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଇମ୍ରାନ୍ଙ୍କ ଦଳ ‘ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍’ର ପ୍ରାୟ ୫୦ ଜଣ ମନ୍ତ୍ରୀ ବର୍ତ୍ତମାନ ନିଖୋଜ ଅଛନ୍ତି ବୋଲି ପାକ୍ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଏମାନଙ୍କ ମଧ୍ୟରେ ୨୫ କେନ୍ଦ୍ରସ୍ତରୀୟ ଓ ୨୫ ପ୍ରାଦେଶିକସ୍ତରୀୟ ମନ୍ତ୍ରୀ ସାମିଲ ଥିବା କୁହାଯାଇଛି । ତେବେ ବିଦେଶମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ, ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ, ଶକ୍ତି ମନ୍ତ୍ରୀ ହମାଦ ଆଜାର, ପ୍ରତିରକ୍ଷା ମନ୍ତ୍ରୀ ପରଭେଜ୍ ଖଟାକ୍ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶେଖ୍ ରସିିଦ ପ୍ରମୁଖ ଇମ୍ରାନ୍ଙ୍କୁ ଦୃଢ ସମର୍ଥନ ଜଣାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।