18.1 C
Bhubaneswar
Monday, November 25, 2024
Homeଓଡିଶାମୟୁରଭଞ୍ଜବାପାମାଆ ଛେଉଣ୍ଡ ୫ବର୍ଷର ପୁଅକୁ ବୁଢ଼ୀ ମାଆ ଭରସା

ବାପାମାଆ ଛେଉଣ୍ଡ ୫ବର୍ଷର ପୁଅକୁ ବୁଢ଼ୀ ମାଆ ଭରସା

ମୟୂରଭଞ୍ଜ : ବାପା ମାଆ ଛେଉଣ୍ଡ ୫ବର୍ଷର ପୁଅକୁ ବୁଢ଼ୀ ମାଆ ଭରସା । ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ କାଦଡିହା ଗ୍ରାମରୁ । ସୂଚନାଯୋଗ୍ୟ, କାଦଡିହା ଗ୍ରାମର ଦମ୍ପତ୍ତି ସୋନୁ ମହାରଣା ଏବଂ ନନ୍ଦିନୀ ମହାରଣାଙ୍କ ତେଲଲୁଣର ସଂସାର ହସ ଖୁସିରେ ଚଳିଆସୁଥିଲା। ତାଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଏବଂ ବୁଢ଼ୀ ମାଆଙ୍କୁ ନେଇ ଏକ ସୁଖୀ ପରିବାର ଥିଲା। ହେଲେ ବିଧିର ବିଧାନ ଆଉ କିଛି ଅଲଗା ଥିଲା । ତେବେ ସୋନୁ ଏବଂ ନନ୍ଦିନୀର ଔରସରୁ ଏକ ପୁତ୍ରସନ୍ତାନ ଜନ୍ମ ହେବାର ଦୁଇବର୍ଷ ପରେ ସୋନୁଙ୍କ କୌଣସି ଏକ ଅଜଣା ରୋଗରେ ମୃତ୍ୟୁ ହୁଏ। ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ନନ୍ଦିନୀ। ଦୁଃଖ ସାଙ୍ଗକୁ ପରିବାରର ଦାୟିତ୍ବ ନନ୍ଦିନୀ କାନ୍ଧରେ ପଡିଥିଲା।ତଥାପି ଆଖିର ଲୁହ ଛାତିର କୋହକୁ ନିଜ ଭିତରେ ଚାପିଧରି ସ୍ତ୍ରୀ ନନ୍ଦିନୀ ଭାଙ୍ଗିପଡି ନ ଯାଇ ଗାଁରେ ମୂଲଲାଗି ପୁଅ ଏବଂ ଶାଶୁଙ୍କୁ ଦୁଇଓଳି ଦିମୁଠା ପେଟରେ ଦାନା ଯୋଗାଇ ପାରୁଥିଲା। ହେଲେ ସହିଲାନି ଦଇବ ଡ଼କାଡକି ହୋଇ ସ୍ୱାମୀ ପରେ ଆରପାରିକୁ ଚାଲିଗଲା ନନ୍ଦିନୀ। ଆଉ ନନ୍ଦିନୀର ଦେହାନ୍ତ ପରେ ବେସାହାରା ହୋଇଗଲେ ୫ବର୍ଷର ପୁଅ ଏବଂ ଶାଶୁ । ନିକଟରେ ନନ୍ଦିନୀ ମଧ୍ୟ ପୁଅ ଶିବା ମହାରଣା ଏବଂ ଶାଶୁ ଗୋଲାପ ମହାରଣାଙ୍କୁ ଏକା କରି ଇହଲୀଳା ତ୍ୟାଗ କରିବାରୁ ୫ ବର୍ଷର ଶିବା ଏବେ ଅନାଥ । ଦୁନିଆଁ ଦେଖିବା ଆଗରୁ ଅନାଥ ହୋଇଗଲା ଶିବା। ଆଖିରେ ଆଖିଏ ସ୍ୱପ୍ନ ମନରେ, ଆଶା ଅସୁମାରୀ। ଗାଁର ଅନ୍ୟ ପିଲାଙ୍କ ପରି ସ୍କୁଲ ଯିବ,ପାଠ ପଢିବ,ମଣିଷ ପରି ମଣିଷଟିଏ ହେବ। ହେଲେ ପାଣି ଫୋଟକା ଭଳି ମିଳେଇଗଲା ସବୁ ସ୍ୱପ୍ନ। ଗାଁ ଦାଣ୍ଡରେ ସାଙ୍ଗସାଥି ମେଳରେ ହସିହସି ଧୂଳିରେ ଖେଳିବୁଲିବା ସହ କାନ୍ଧରେ ବ୍ୟାଗ ଝୁଲାଇ ପାଠ ପଢିବା ପାଇଁ ସ୍କୁଲ ଯିବା ବୟସରେ ଅନାଥ ହୋଇଗଲା ଶିବା। ଖାଇବ କଣ, ପିନ୍ଧିବା ପାଇଁ ଆବଶ୍ୟକ ପୋଷାକ ପାଇବ କୋଉଠୁ, କିଏ ସଜେଇ ପଠାଇବ ସ୍କୁଲ ବୁଢ଼ୀମା ସହିତ ଭଙ୍ଗାଦଦରା ଘର ପିଣ୍ଡାରେ ବସି ଭାବୁଛି ଶିବା। ମନରେ ଇଚ୍ଛା ବହୁତ ଅଛି ପାଠ ପଢିବ ଵଡ଼ ମଣିଷ ହବ। ପିଣ୍ଡାରେ ବସିଥିବା ସମୟରେ ହେଉକି ଦାଣ୍ଡରେ ବୁଲୁଥିବା ସମୟରେ ଆଖି ଆଗରେ ସ୍ୱପ୍ନ ଭଳି ଭାବନା ଗୁଡାକ ବାଦଲ ଭଳି ଭାସିଯାଉଛି ସିନା ହେଲେ ସତରେ କଣ ଶିବାର ସ୍ୱପ୍ନ ପୂରଣ ହବ? ଏମିତି ବହୁତ ପ୍ରଶ୍ନ ଏବେ ଉଙ୍କି ମାରୁଥିଲେ ବି ଛୋଟ ଛୁଆଟି କଣ ଜାଣିଛି ? ବର୍ତ୍ତମାନ ଗାଁ ଦାଣ୍ଡରେ ହସି ଖେଳି ବୁଲିବା ବୟସରେ ପରିବାରର ବୋଝ ନିଜ ମୁଣ୍ଡରେ। କଣ କରିବ ୫ବର୍ଷର ଅନାଥ ଅସହାୟ ନାବାଳକ ପୁଅ କାହାକୁ କହିବ ଶୁଣିବ କିଏ। ସାହାରା ସାଜିଥିବା ବୃଦ୍ଧା ବୁଢ଼ୀ ମାକୁ ଛାଡିଦେଲେ ଆଉ ଦୁନିଆଁରେ ଏବେ କେହି ନାହାନ୍ତି ଶିବାର। ଏପରି ଜଣେ ନିଷ୍ପାପ ଶିଶୁର କରୁଣ କାହାଣୀ ଶୁଣିବ କିଏ ? ବର୍ତ୍ତମାନ ଶିବା ବୁଢ଼ୀ ମା ପାଖରେ ଏକୁଟିଆ ରହୁଥିବା ବେଳେ ଚଳିବା ପାଇଁ ସରକାର ଦେଉଥିବା ମାତ୍ର ୧୦ କିଲୋ ଚାଉଳ ଏବଂ ୫୦୦ଟଙ୍କା ଭତ୍ତା ଉପରେ ନିର୍ଭର କରନ୍ତି । ଯାହା ବୁଢୀ ମା ଏବଂ ନାତି ଶିବାର ମାସସାରା ଚଳିବା ପାଇଁ ନିଅଣ୍ଟ। ଯୋଉଥିପାଇଁ ନାହିଁନଥିବା ଅବର୍ଣ୍ଣନୀୟ ହଇରାଣ ଭୋଗୁଥିଲେ ବି ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ଏଭଳି ସ୍ଥିତିରେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହିତ ଶିବାକୁ ଏକ ଭଲ ସ୍କୁଲରେ ପାଠ ପଢିବା ପାଇଁ ସରକାର, ସ୍ବେଚ୍ଛାସେବୀ ସଙ୍ଗଠନ, ହୃଦୟବାନ ଲୋକେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ହୋଇ ପଡିଛି ନ ହେଲେ ଦୁନିଆଁ କଣ ଜାଣି ନ ଥିବା ୫ବର୍ଷ ଶିବାର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ହଜି ନ ଯିବ କିଏ ବା କହି ପାରିବ। ଏପରି ଅବସ୍ଥା ଦେଖି ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରି ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି । ତେବେ ଏପରି ଜଣେ ନିଷ୍ପାପ ଅସହାୟ ଅନାଥ ଶିଶୁକୁ କେବେ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ଦେଖିବା ପାଇଁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking