30.1 C
Bhubaneswar
Sunday, June 23, 2024
Homeଓଡିଶା୫ କ୍ୱିଣ୍ଟାଲ୍ ଅପମିଶ୍ରିତ ଲଙ୍କା ଓ ହଳଦୀଗୁଣ୍ଡ ଜବତ

୫ କ୍ୱିଣ୍ଟାଲ୍ ଅପମିଶ୍ରିତ ଲଙ୍କା ଓ ହଳଦୀଗୁଣ୍ଡ ଜବତ

କଟକ: ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ । କେବଳ କଟକ ସହର କାହିଁକି ସହର ଉପକଣ୍ଠରେ ମଧ୍ୟ ବ୍ୟାପକ ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଛି । କିଛିବର୍ଷ ଧରି କଟକ ସହର ନକଲି ସାମଗ୍ରୀ ପ୍ରସ୍ତୁତକାରୀ ପାଇଁ ଭୂସ୍ୱର୍ଗ ପାଲଟିଛି । ତେବେ ଏଭଳି ଅପମିଶ୍ରିତ ସାମଗ୍ରୀକୁ ରୋକିବା ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍‌ସି ଯେତେ ଚଢ଼ଉକଲେ ମଧ୍ୟ ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ଧରା ପଡ଼ୁୂଛନ୍ତି । ପ୍ରଶାସନ ଆଖିରେ ଧୂଳିଦେଇ ବିଭିନ୍ନ ଉପାୟରେ କିଛି ଅସାଧୁ ବ୍ୟକ୍ତି ଏସବୁ ଚଳାଉଛନ୍ତି । ନିକଟ ଅତୀତରେ ସସ୍‌ଠାରୁ ଆରମ୍ଭକରି ବିଭିନ୍ନ ମସଲା ପର୍ଯ୍ୟନ୍ତ ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଥିବା ଧରାପଡ଼ିବା ପରେ ସେ ସବୁ ସଂସ୍ଥାକୁ ସିଲ୍ କରାଯାଇଛି । ତଥାପି ଏହି ଅସାଧୁ ବ୍ୟବସାୟୀ ନିର୍ବିଘ୍ନରେ ଏସବୁ ଚଳାଉଥିବା ଜଣାପଡ଼ିଛି । କିଛି ଲାଭ ପାଇବା ଲୋଭରେ ଜନସାଧାରଣଙ୍କୁ ବିଷ ବିକୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ ।

ତେବେ ଆଜି କଟକ ମାଲଗୋଦାମର ଗୁଡ୍‌ସ ଶେଡ୍‌ରେ ସୂଚନା ପାଇ କଟକ ମହାନଗର ନିଗମ (ସିଏମ୍‌ସି) ଏନ୍‌ଫୋର୍ସମେଣ୍ଟ ଟିମ୍ ଅଚାନକ ଚଢ଼ଉ କରିଥିଲା । ଏହି ଚଢ଼ଉ ସମୟରେ ବିପୁଳ ପରିମାଣର ଅପମିଶ୍ରିତ ଲଙ୍କା ଓ ହଳଦୀଗୁଣ୍ଡ ଜବତ ହୋଇଛି । ଜବତ ଅପମିଶ୍ରିତ ଲଙ୍କା ଓ ହଳଦୀଗୁଣ୍ଡର ପରିମାଣ ୫ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଚଢ଼ଉ ସମୟରେ ବି. ପାଣ୍ଡବ ନାମକ ଜଣେ ବ୍ୟକ୍ତି ଏହି କଳାକାରବାର ଚଳାଇଥିବା ଜଣାପଡ଼ିଥିଲା । ସେ ବେଆଇନ ଭାବେ ଏସବୁ ଚଳାଇଥିବା ଯୋଗୁଁ ତାଙ୍କ ଗୋଦାମକୁ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ସିଲ୍ କରିବା ସହ ତାଙ୍କ ଓଜନ କଣ୍ଟା ଓ ନକଲି ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ଯନ୍ତ୍ରାଂଶଗୁଡ଼ିକୁ ଜବତ କରାଯାଇଛି । ଏହାସହିତ ତାଙ୍କ ନାମରେ ସିଏମ୍‌ସି ପକ୍ଷରୁ ଏତଲା ଦିଆଯିବ ବୋଲି ଏନ୍‌ଫୋର୍ସମେଣ୍ଟ ଟିମ ପକ୍ଷରୁ କୁହାଯାଉଛି । ଅନ୍ୟପକ୍ଷରେ ଏସବୁ କଳା ବ୍ୟବସାୟୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସହରବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking