ଭୁବନେଶ୍ୱର :ନନ୍ଦନକାନନରୁ ଆସିଲା ଖୁସି ଖବର । ସୁସ୍ଥ ହେଲେ ୫ ଓରାଂଉଟାନ୍ ଶାବକ। ଦୀର୍ଘଦିନ ଧରି ରକ୍ତହୀନତାରେ ପୀଡ଼ିତ ଥିବା ଏହି ଶାବକମାନେ ଏବେ ବିପଦମୁକ୍ତ ହୋଇଛନ୍ତି । ସେମାନଙ୍କ ଶରୀରରେ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି ପାଇ ୧୧ରେ ପହଞ୍ଚିଛି। ପୂର୍ବରୁ ଏହା ୪ରୁ ୪.୨ ମଧ୍ୟରେ ରହିଥିଲା। ଚିକିତ୍ସା ଓ ନିୟମିତ ଯତ୍ନ ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ।ଅନ୍ୟପଟେ ଶୀତ ଦାଉରୁ ଶାବକମାନଙ୍କୁ ସୁରକ୍ଷା ଦେବା ପାଇଁ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ନିୟମିତ ଖରାରେ ବସାଯିବା ସହ ତାପମାତ୍ରା ନିୟନ୍ତ୍ରଣ ପାଇଁ ହ୍ୟାଣ୍ଡ ରିୟରିଂ ସେଣ୍ଟରରେ ବ୍ୟବସ୍ଥା ହୋଇଛି। ଶୀତର ପ୍ରଭାବ ଯେପରି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।ଆସନ୍ତା ଡିସେମ୍ବରରେ ୫ ଓରାଂଉଟାନ୍ ଶାବକଙ୍କ ୯୦ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବ। ଏହାପରେ ବିଶେଷଜ୍ଞ କମିଟିଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ବଡ଼ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ । ତେବେ ପର୍ଯ୍ୟଟକଙ୍କ ପାଇଁ ଶାବକମାନଙ୍କୁ ପ୍ରଦର୍ଶିତ କରିବାକୁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (CZA)ର ଅନୁମତି ଆବଶ୍ୟକ । ଅନୁମତି ମିଳିବା ପରେ ହିଁ ସେମାନଙ୍କୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇପାରିବେ ।










