ମେରଟ: ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମେରଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେରଟରେ ବିଦ୍ୟୁତ ଆଘାତରେ ୫ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ସୂଚନାନୁସାରେ, ମେରଟର ପରିକ୍ଷିତଗଡ଼ ଅଂଚଳରେ ଥିବା ରାଲିଚୌହାନ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। କାଉଡିଆଙ୍କ ଶିବିର ଉପର ଦେଇ (୧୧୦୦୦ କେଭି) ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଯାଇଥିବାବେଳେ ଏହା ଛିଡିପଡିଥିଲା ଆଉ ବିଦ୍ୟୁତ ଆଘାତରେ କାଉଡିଆମାନେ ଜଳିଯାଇଥିଲେ।
ତୁରନ୍ତ ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ୪ରୁ ଅଧିକ କାଉଡିଆ ଏବେ ବି ଗୁରୁତର ଥିବାର ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାଉଡିଆଙ୍କ ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା । ଆଉ ବିଦ୍ୟୁତ ଆଘାତରେ କାଉଡିଆମାନଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କ୍ରୋଧିତ ଗ୍ରାମବାସୀ ଓ କାଉଡିଆମାନେ ରାସ୍ତା ଅବରୋଧ କରିଛନ୍ତି। ଏହି କାଉଡିଆମାନେ ହରିଦ୍ୱାରରୁ ଆସୁଥିବାବେଳେ ୧୧୦୦୦ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ଆଉ ଏହି ଦୁର୍ଘଟଣା ଘଟିଥିଲା ।