କନ୍ଧମାଳ: ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲାରେ ଜାଡ଼ ଅସହ୍ୟ ହୋଇ ପଡ଼ିଛି । ବୁଧବାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡ଼ିଗ୍ରୀ ଥିବା ରେକର୍ଡ଼ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡ଼ିଗ୍ରୀ ଓ ଦାରିଙ୍ଗବାଡ଼ିରେ ୮.୫ ଡ଼ିଗ୍ରୀ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଦିନକୁ ଦିନ କନ୍ଧମାଳ ଜିଲ୍ଲାର ପାରଦ ତଳମୁହାଁ ହେଉଥିବା ଯୋଗୁଁ ଅପରାହ୍ନ ୪ଟା ହୋଇଗଲେ ଶୀତ ମାଡ଼ି ଆସୁଛି । ତେବେ ସହରାଞ୍ଚଳ ଅପେକ୍ଷା ଆଭ୍ୟନ୍ତରିଣ ଅଞ୍ଚଳରେ ଏହାଠାରୁ ଯଥେଷ୍ଟ କମ୍ ତାପମାତ୍ରା ରହିଥିବା ବେଳେ ଅନେକ ଗ୍ରାମାଞ୍ଚଳରେ ମଧ୍ୟ ତୁଷାରପାତ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଶୀତ ପାଇଁ ଏବେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡ଼େ ନିଆଁ ହିଁ ଏକ ମାତ୍ର ସାହାରା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରବଳ ଶୀତ ସହିତ କୁହୁଡ଼ି ଏବେ ଚିନ୍ତାର କାରଣ ହୋଇଛି । ସକାଳୁ ପ୍ରାୟ ୯ଟା ପର୍ଯ୍ୟନ୍ତ କୁହୁଡ଼ି ରହୁଥିବା ଯୋଗୁଁ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇ ପଡ଼ିଲାଣି ।