ବେଙ୍ଗାଲୁରୁ: କ୍ଷଣିକ ମଧ୍ୟରେ ଦୁଃଖରେ ପରିଣତ ହୋଇଗଲା ଖୁସି । ପରିବାର ଲୋକ ମିଶି ଯାଇଥିଲେ ଛୁଟି କାଟିବାକୁ । ହେଲେ ଘଟିଲା ବଡ଼ ଅଘଟଣ । ନଦୀରେ ବୁଡିଗଲେ ଗୋଟିଏ ପରିବାର ପାଞ୍ଚ ଜଣ ସଦସ୍ୟ । ତେବେ ପାଣିରୁ ତିନିଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ସିର୍ସିରେ । ତେବେ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ସିର୍ସିରେ ଥିବା ଶାଲିମାର ନଦୀକୂଳ ଏକ ପର୍ଯ୍ୟଟନ ସ୍ଥଳି ।
ଛୁଟି ଦିନମାନଙ୍କରେ ଏଠାକୁ ବହୁ ପରିମାଣର ପର୍ଯ୍ୟଟକ ଛୁଟି କାଟିବାକୁ ଆସିଥାନ୍ତି । ତେବେ ସିର୍ସି ସହରର ରାମନବାଇଲ ଓ କସ୍ତୁରବାନଗରର ଗୋଟିଏ ପରିବାରର ପ୍ରାୟ ୨୫ ଜଣ ସଦସ୍ୟ ଶାଲିମାର ନଦୀର ଭୁତାନଗୁଣ୍ଡିକୁ ଛୁଟି କାଟିବା ପାଇଁ ଯାଇଥିଲେ । ଏହି ସମୟରେ, ସେମାନଙ୍କ ସହିତ ଯାଇଥିବା ଏକ ଶିଶୁ ଖେଳୁଥିବା ସମୟରେ ନଦୀ ପାଣିରେ ପଡ଼ିଯାଇଥିଲା । ତେବେ ପରିବାର ଜଣେ ସଦସ୍ୟ ( ମୌଲାନା ଅହମ୍ମଦ ) ଶିଶୁଟିକୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁପଡ଼ିଥିଲେ । ଏହାସହ ପାଣିରୁ ପିଲାଟିକୁ ଉଦ୍ଧାର କରି ତାର ମାଆ ନାଦିଆକୁ ଦେଇଥିଲେ । ପିଲାଟିକୁ କୂଳରେ ଛାଡ଼ି ପାଣିରୁ ବାହାରକୁ ବାହାରିବା ସମୟରେ ହଠାତ ଉଭୟ ମୌଲାନା ଓ ନାଦିଆ ଦୁର୍ଘଟଣା ବଶତଃ ପୁଣି ପାଣିରେ ପଡ଼ିଯାଇଥିଲେ ।
ଫଳରେ ଉଭୟ ପାଣିରେ ବୁଡ଼ିଯାଇଥିଲେ । ଏହାଦେଖି ଅନ୍ୟ ତିନିଜଣ ସଦସ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଡେଇଁ ପଡ଼ିଲେ । ନଦୀରେ ଜଳସ୍ତର ଅଧିକ ଥିଲା, ଫଳରେ ସମସ୍ତେ ପାଣିରେ ବୁଡ଼ିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତେବେ ପାଣିରେ ବୁଡ଼ିଯାଇଥିବା ଗୋଟିଏ ପରିବାର ପାଞ୍ଚ ଜଣ ହେଲେ ରାମନବାଇଲର ମୌଲାନା ଅହମ୍ମଦ ସଲୀମ ଖଲିଲ (୪୪), ନାବିଲ ନୋର ଅହମ୍ମଦ ଶେଖ (୨୨) ଓ ଉମର ସିଦ୍ଦିକ (୨୩) ଏବଂ କସ୍ତୁରବାନଗରର ନାଦିଆ ନୋର ଅହମ୍ମଦ ଶେଖ (୨୦) ଓ ମିସାବ ତବସୁମ (୨୧) । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ମୃତଦେହ ଖୋଜିଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିବା ସହ ସନ୍ଧ୍ୟାରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏହାସହ ଅନ୍ୟମାନଙ୍କୁ ମଧ୍ୟ ଖୋଜା ଚାଲିଛି ବୋଲି ପୋଲିସ କହିଛି । ସେପଟେ ସିର୍ସି ଗ୍ରାମୀଣ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି ।