24.1 C
Bhubaneswar
Monday, December 23, 2024
Homeଅପରାଧଷ୍ଟକ୍ ମାର୍କେଟ୍ ନାଁରେ ୫କୋଟି ଠକେଇ: ମୁମ୍ବାଇରୁ ଧରାପଡ଼ିଲେ ଦୁଇ ଠକ

ଷ୍ଟକ୍ ମାର୍କେଟ୍ ନାଁରେ ୫କୋଟି ଠକେଇ: ମୁମ୍ବାଇରୁ ଧରାପଡ଼ିଲେ ଦୁଇ ଠକ

ଓଡ଼ିଶା ସମେତ ୯ ରାଜ୍ୟରେ ଚେନ୍‌
ଭୁବନେଶ୍ୱର: ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ନିବେଶ କରିବା ଏବଂ ବିପୁଳ ପରିମାଣର ସୁଧ ମିଳିବାର ଲୋଭ ଦେଖାଇ ଓଡ଼ିଶାରୁ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଦୁଇଜଣ ଠକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଆଇଆଭିକ୍ ପ୍ରାଇଭେଟ୍ କମ୍ପାନୀର ନିର୍ଦ୍ଦେଶକ ଝାରସୁଗୁଡ଼ାର ଅର୍ପାନ ପଟେଲ ଏବଂ କଟକ ଚୌଦ୍ୱାରର ଆଦ୍ୟଜ୍ୟୋତି ନାୟକ । ଇଓଡବ୍ଲ୍ୟୁ ଟିମ୍ ମୁମ୍ବାଇର ଖର୍ ଅଞ୍ଚଳରେ ଗତ ୧୦ ତାରିଖ ରାତିରେ ଚଢ଼ଉ କରି ଏମାନଙ୍କୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ବିଭିନ୍ନ କାଗଜପତ୍ର, ୪ଟି ଦାମୀ ମୋବାଇଲ ଫୋନ୍‌, ୩ଟି ଲାପ୍‌ଟପ, ହାର୍ଡ ଡିସ୍କ ଏବଂ ନଗଦ ୯୦ହଜାର ଟଙ୍କା ଜବତ ହୋଇଛି । ପରେ ଦୁହିଁଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି । ଏହାପରେ ଅଭିଯୁକ୍ତଦ୍ୱୟଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ଆଇଆଭିକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଷ୍ଟକ୍ ମାର୍କେଟ୍ ଆଡ୍‌ଭାଇଜରି କମ୍ପାନୀ ଖୋଲିଥିଲେ । ନିଜ କମ୍ପାନୀ ଜରିଆରେ ଲୋକଙ୍କୁ ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ନିବେଶ କରିବାକୁ କହୁଥିଲେ । ପ୍ରତ୍ୟେକ ଦିନ ୧ପ୍ରତିଶତ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିବେଶକାରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏମାନେ ୟୁଟ୍ୟୁବ୍‌ରେ ଭିଡିଓ ପ୍ରସ୍ତୁତ କରି କମ୍ପାନୀର ପ୍ରଚାର ପ୍ରସାର କରୁଥିଲେ । ଏହିସବୁ ଭିଡିଓ ଏବଂ ବିଜ୍ଞାପନ ଦେଖି ଓଡ଼ିଶା ସମେତ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମୁମ୍ବାଇ, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ହଜାର ସଂଖ୍ୟକ ଲୋକ କୋଟିକୋଟି ଟଙ୍କା ନିବେଶ କରି ଠକାମୀର ଶିକାର ହୋଇଥିଲେ।

ବିଶେଷକରି ଓଡ଼ିଶା ସମେତ ଅନ୍ୟ ରାଜ୍ୟର ୪୦୦ ଲୋକଙ୍କ ଠାରୁ ଠକଦ୍ୱୟ ୨୦୦୦ରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଇ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି । ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ଯାଜପୁର ବିଞ୍ଝାରପୁରର ସ୍ୱାଧୀନ କୁମାର ସାହୁ ଏହି କମ୍ପାନୀରେ ଟଙ୍କା ନିବେଶ କରିଥିଲେ । ଜୁଲାଇ ୨୦୨୧ରୁ ଫେବୃୟାରୀ ଶେଷ ଯାଏ ସେ ୧୫ଲକ୍ଷ ଟଙ୍କା ନିବେଶ କରିଥିଲେ । ବିପୁଳ ପରିମାଣର ସୁଧ ଓ ଟଙ୍କା ଫେରସ୍ତ ମିଳିବ ବୋଲି ଅଭିଯୁକ୍ତଦ୍ୱୟ ପ୍ରତିଶ୍ରୁତି ଦେଇଥିଲେ । ନିବେଶ ପରେ ଟଙ୍କା ସ୍ୱାଧୀନଙ୍କ ଆକାଉଣ୍ଟକୁ ଫେରସ୍ତ ଆସିନଥିଲା । ଏହାପରେ ସେ ଖୋଳତାଡ୍ କରିବାରୁ ଜାଣିବାକୁ ପାଇଲେ ଯେ ଏହା ଠକ କମ୍ପାନୀ ଏବଂ ନିଜକୁ ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସଂସ୍ଥା କହି ଲୋକଙ୍କୁ ଲୁଟିବାରେ ଲାଗିଛି ।

ଏନେଇ ଗତ ୪ ତାରିଖରେ ସ୍ୱାଧୀନ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ କେସ୍ ନଂ ୪/୨୦୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତଦ୍ୱୟ ଶେୟାର ମାର୍କେଟ୍ ଆଡ୍‌ଭାଇଜରି କମ୍ପାନୀ ନାଁରେ ପୁଞ୍ଜି ସ୍କିମ୍‌ରେ ଲୋକଙ୍କ ଠାରୁ ଟଙ୍କା ଲୁଟୁଛନ୍ତି । ଅଧିକ ସୁଧ ପାଇବା ଆଶାରେ ଲୋକମାନେ ଲକ୍ଷାଧିକ ଟଙ୍କା ନିବେଶ କରୁଛନ୍ତି । ଅଭିଯୁକ୍ତଦ୍ୱୟ ୨ହଜାରରୁ ୧ଲକ୍ଷ ଟଙ୍କା ଯାଏ ନିବେଶ କରିହେବ ବୋଲି କହୁଥିଲେ । ଏପରିକି ସଂସ୍ଥାରେ ରେଫରେନ୍ସ ଦ୍ୱାରା ଜଏନ୍ କରାଇଲେ ତାଙ୍କ ଲାଭରୁ ରେଫରେନ୍ସ ଦେଇଥିବା ବ୍ୟକ୍ତିଙ୍କୁ ୧୫ପ୍ରତିଶତ ପ୍ରଫିଟ୍ ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲେ । ଏକ ଚେନ୍ ସିଷ୍ଟମ୍ କରି ଲୋକଙ୍କୁ ଲୁଟି ଚାଲିଥିଲେ ।

ଏମିତିକି କମ୍ପାନୀ ୨୪ ଘଣ୍ଟିଆ ଗ୍ରାହକ ସେବା ଯୋଗାଉଛି କହିବା ସହ ଏକ ଟୋଲ୍ ଫ୍ରି ନଂ- ୧୮୦୦-୧୦୩-୦୩୩୪ ଜାରି କରିଥିଲା । ମାମଲାକୁ ଗୁରୁତର ସହ ନେଇ ଇଓଡବ୍ଲ୍ୟୁ ତଦନ୍ତ ଚଳାଇଛି । ଅଭିଯୁକ୍ତଦ୍ୱୟ ଠକେଇ ଟଙ୍କା କେଉଁଠି ରଖିଛନ୍ତି, ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋଳତାଡ୍ ଜାରିରହିଛି । ଜବତ ମୋବାଇଲ୍‌, ଲାପ୍‌ଟପ ଯାଞ୍ଚ କରାଯାଉଥିବା ଏସ୍‌ପି କହିଛନ୍ତି । ବାହାର ରାଜ୍ୟର ଯେଉଁମାନେ ଏହି ଠକଙ୍କ ଶିକାର ହୋଇଛନ୍ତି, ସେମାନେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ନଂ-୯୪୩୭୭୩୬୪୧୨ରେ ଅଭିଯୋଗ କରିପାରିବେ । ଏଥିସହ ତଦନ୍ତରେ ସହଯୋଗ କରିବାକୁ ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking