ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ୱ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମୀରା ସ୍ୱାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକ ମାନଙ୍କ ମତାମତ ଲୋଡିଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫-ଟି କାର୍ଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପର୍ଯ୍ୟବେକ୍ଷଣ କରିଥିଲେ । ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଏହି ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏହି ସ୍ମାର୍ଟ କ୍ଲାସ ରୁମ୍ କାର୍ଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଶୌଚାଳୟ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡିଆ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମକୁ ୫-ଟି ସଚିବ ପର୍ଯ୍ୟବେକ୍ଷଣ କରି ଅଗ୍ରଗତିର ସମୀକ୍ଷା କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ସୂଚନାଯୋଗ୍ୟ, ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମର ବିକାଶ କରାଯାଉଛି । ଏଥିରେ ପିଲାଙ୍କ ପାଇଁ କମ୍ପ୍ୟୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି । ଏହାପରେ ୫-ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ । ମନ୍ଦିରର ପ୍ରସାଦ ସେବନ ହଲ୍, ଦୀପଘର, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ଆଦି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ । ଏହା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଶ୍ରୀ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇ.ଟି.ଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଏହି ଆଇ.ଟି.ଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରୀ ପାଉଥିବାରୁ ସେମାନେ ଆଇ.ଟି.ଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।