ଦୁବାଇ: ଆଇସିସି ପକ୍ଷରୁ ବୁଧବାର ପ୍ରକାଶିତ ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଅଲ୍ରାଉଣ୍ଡର୍ଙ୍କ ଦବ୍ଦବା ରହିଛି । ରବୀନ୍ଦ୍ର ଜାଡ଼େଜା ଅଲ୍ରାଉଣ୍ଡର୍ ର୍ୟାଙ୍କିଙ୍ଗ୍ର ଶୀର୍ଷରେ ପହଞ୍ଚିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଦ୍ୱିତୀୟ ଏବଂ ଅକ୍ଷର ପଟେଲ୍ ପଞ୍ଚମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ୧,୪୬୬ ଦିନ ଧରି ବୋଲିଂ ର୍ୟାଙ୍କିଙ୍ଗ୍ ଶୀର୍ଷରେ ରହିଆସିଥିବା ଅଷ୍ଟ୍ରେଲୀୟ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ପଦଚ୍ୟୁତ ହୋଇଛନ୍ତି । ଇଂଲଣ୍ଡ ବୋଲର୍ ଜେମ୍ସ ଆଣ୍ଡର୍ସନ୍ ଏବେ ବିଶ୍ୱର ଏକ ନମ୍ବର ବୋଲର୍ ହୋଇଛନ୍ତି । ବୋଲିଂ ର୍ୟାଙ୍କିଙ୍ଗ୍ର ଶୀର୍ଷରେ ପହଞ୍ଚିବାରେ ସେ ବିଶ୍ୱର ଦ୍ୱିତୀୟ ବୟସ୍କ ବୋଲର୍ ହୋଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତର ଆର୍ ଅଶ୍ୱିନ (୮୬୪) ଏବଂ ନବମ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ରହିଛନ୍ତି ।
ଇଂଲଣ୍ଡ ବୋଲର୍ ଜେମ୍ସ ଆଣ୍ଡରସନ୍ ଶୀର୍ଷ ସ୍ଥାନରେ ପହଞ୍ଚିବା ସହିତ ୮୭ ବର୍ଷର ରେକର୍ଡ ଭଙ୍ଗ କରିଛନ୍ତି । ୧୯୩୬ରେ ଅଷ୍ଟ୍ରେଲିଆର କ୍ଲେରୀ ଗ୍ରିମେଟ୍ଙ୍କ ପରେ ୪୦ ବର୍ଷ ୨୦୭ ଦିନ ବୟସରେ ଶୀର୍ଷ ର୍ୟାଙ୍କିଙ୍ଗ୍ ହାସଲ କରିବାରେ ସେ ବିଶ୍ୱର ବୟସ୍କ ବୋଲର୍ ହୋଇଛନ୍ତି । ଆଣ୍ଡରସନ୍ ଷଷ୍ଠ ଥର ପାଇଁ ବିଶ୍ୱର ଏକ ନମ୍ବର ବୋଲର ହୋଇଥିବା ବେଳେ ତାଙ୍କ ରେଟିଂ ପଏଣ୍ଟ୍ ୮୬୬ ରହିଛି । ସେହିପରି ପ୍ୟାଟ୍ କମିନ୍ସ ୮୫୮ ପଏଣ୍ଟ୍ ସହ ୩ୟ ସ୍ଥାନକୁ ଖସିଆସିଛନ୍ତି । ଅଲ୍ରାଉଣ୍ଡର୍ ର୍ୟାଙ୍କିଙ୍ଗ୍ରେ ୪୬୦ ପଏଣ୍ଟ୍ ସହ ଜାଡ଼େଜା ଶୀର୍ଷ ସ୍ଥାନରେ ରହିଛନ୍ତି ।
୩୭୬ ପଏଣ୍ଟ୍ ସହ ଅଶ୍ୱିନ ତାଙ୍କ ପଛରେ ରହିଛି । ତାଲିକାରେ ଅକ୍ଷର ପଟେଲ୍ ଦୁଇଟି ସ୍ଥାନର ଉନ୍ନତ ସହ ପଞ୍ଚମରେ ପହଞ୍ଚିଛନ୍ତି । ସେହିପରି ବ୍ୟାଟିଂ ର୍ୟାଙ୍କିଙ୍ଗ୍ରେ ଭାରତୀୟ କ୍ୟାପ୍ଟେନ୍ ରୋହିତ ଶର୍ମା ୭୭୭ ପଏଣ୍ଟ୍ ସହ ନମ୍ବର-୭ରେ ରହିଛନ୍ତି । ତାଲିକାରେ ବିରାଟ କୋହଲି (୬୬୫) ସହ ଟପ୍-୨୦ରେ ତୃତୀୟ ଭାରତୀୟ ଭାବେ ରହିଛନ୍ତି । ଭାରତୀୟ ୱିକେଟ୍କିପର୍ ବ୍ୟାଟର୍ ଋଷଭ ପନ୍ତ୍ (୭୮୧) ନମ୍ବର-୬ରେ ଅଛନ୍ତି ।