ଲକ୍ଷ୍ନୌ : ବାହାଘରରେ ଦାମୀ ଗିଫ୍ଟ ଦେବେ କହି ଠକିଦେଲେ ୩ ଭାଇ । କହିଥିଲେ ବାହା ହେଲେ ଦୁନିଆର ସବୁଠୁ ଦାମୀ ଉପହାର ଦେବେ । ହେଲେ ଲଗାଇଲେ ଚୂନା । ଦାମୀ ଗିଫ୍ଟ ଦେବାକୁ କହି ଲୁଟିନେଲେ ୨ଲକ୍ଷ ଟଙ୍କା । ଏମିତି ଘଟଣା ଘଟିଛି ଲକ୍ଷ୍ନୌ ଇନ୍ଦିରାନଗରରେ । ସଲମା ନାମକ ଜଣେ ଯୁବତୀଙ୍କଠୁ ୩ ଅଭିଯୁକ୍ତ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ବି ରୁଜୁ ହୋଇଛି । ପ୍ରଥମେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ । ଏହାପରେ ଗଢ଼ିଉଠିଲା ଭାଇ ଭଉଣୀର ସମ୍ପର୍କ । ତା’ପରେ ଠକେଇର ଶିକାର ହେଲେ ଭଉଣୀ । ସଲମାଙ୍କ ସହ ଇନଷ୍ଟାଗ୍ରାମ ଜରିଆରେ ୩ ଯୁବକ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିଥିଲେ । ୩ ଯୁବକଙ୍କ ନାଁ ହେଲା ରବି କୁମାର, ରାଣା ପ୍ରତାପ ସିଂ ଏବଂ ମନୋଜ । ସଲମାଙ୍କ ଭିତରେ ନିଜ ପାଇଁ ଭରସା ଆଣିଥିଲେ ୩ ଲୁଟେରା । ୩ ଜଣଙ୍କୁ ଭାଇ ଭାବେ ଗ୍ରହଣ କରିନେଇଥିଲେ ସଲମା ।
ଏହାର ଫାଇଦା ଉଠାଇ ସଲମାଙ୍କୁ କଳାକନା ବୁଲାଇଲେ ୩ ଲୁଟେରା । ସଲମାଙ୍କ କହିବାନୁଯାୟୀ ବନ୍ଧୁତ୍ୱର କିଛିଦିନ ପରେ ରବି ତାଙ୍କୁ ଫୋନ୍ କରି କହିଥିଲେ ଯେ, ସେ ତାଙ୍କ ବାହାଘର ପାଇଁ ଦାମୀ ଜିନିଷ ପଠାଇବାକୁ ଚାହୁଁଛନ୍ତି । ଏଥିପାଇଁ ସଲମାଙ୍କ ପରିଚୟପତ୍ର ଅର୍ଥାତ ଆଧାରକାର୍ଡ ଓ ଫଟୋ ଆବଶ୍ୟକ । ଏହାପରେ ମନୋଜ ତାଙ୍କୁ କଲ୍? କରି କହିଥିଲେ ଯେ ରବି ପଠାଇଥିବା ଜିନିଷ ଏୟାରପୋର୍ଟରେ ସିଜ୍ ହୋଇଯାଇଛି । ତେବେ ଜିନିଷ ଆଣିବା ପାଇଁ ଏକ ନିର୍ଦ୍ଧିଷ୍ଟ ଅଙ୍କର ଟଙ୍କା ଦେବାକୁ ପଡ଼ିବ । ଟଙ୍କା ଦେବା ପାଇଁ ସଲମା କିନ୍ତୁ ମନା କରିଦେଇଥିଲେ । କିନ୍ତୁ ମନୋଜ ତାଙ୍କୁ ଡରାଇଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସିବିଆଇ, କ୍ରାଇମବ୍ରାଞ୍ଚ ଏବଂ ଆୟକର ବିଭାଗ ତାଙ୍କୁ ଗିରଫ କରିବେ । ଲୁଟେରାଙ୍କ ଧମକ ଶୁଣି ବାଧ୍ୟ ହୋଇ ସଲମା ୧.୯୪ ଲକ୍ଷ ଟଙ୍କା ଅନଲାଇନ୍ରେ କ୍ୟୁ ଆର୍ କୋଡ୍ ଜରିଆରେ ଦେଇଥିଲେ । ଏହାପରେ ସେ ଲୁଟେରାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏନେଇ ତଦନ୍ତ ବି ଆରମ୍ଭ କରିଛି ।