ମୁମ୍ବାଇ: ଗତ ଆର୍ଥିକ କବର୍ଷ (୨୦୨୨-୨୩)ରେ ବ୍ୟାଙ୍କଗୁଡିକରେ ଜମାରାଶି ବୃଦ୍ଧି ହାର ଧିମା ରହିଥିବା ଜଣାପଡିଛି । ବିଭିନ୍ନ କାରଣରୁ ଲୋକେ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ଏତେଟା ଆଗ୍ରହ ପ୍ରକାଶ କରୁନଥିବାରୁ ଗତ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡିକର ଋଣ ଅର୍ଥ ଓ ଜମାରାଶି ବୃଦ୍ଧି ହାର ମଧ୍ୟରେ ୨ ଲକ୍ଷ କୋଟି ଟଙ୍କାର ପାର୍ଥକ୍ୟ ରହିଥିବା ପ୍ରକାଶ । ଅର୍ଥାତ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଲୋକଙ୍କୁ ଅଧିକ ଋଣ ପ୍ରଦାନ କରାଯାଇଥିବାବେଳେ ଜମାରାଣି ସେହି ଅନୁପାତରେ ବୃଦ୍ଧି ପାଇନାହିଁ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ୨୦୨୩ ମାର୍ଚ୍ଚ ୨୪ ସୁଦ୍ଧା ବ୍ୟାଙ୍କଗୁଡିକରେ ଜମାରାଶି ପରିମାଣ ୧୮୦ ଲକ୍ଷ କୋଟି ରହିଥିଲା ।
ଗତବର୍ଷ ତୁଳନାରେ ଏହା ୧୫.୮ ଲକ୍ଷ କୋଟି ଅଧିକ ରହିଛି । ଅପରପକ୍ଷରେ ମାର୍ଚ୍ଚ ୨୪ ସୁଦ୍ଧା ବ୍ୟାଙ୍କଗୁଡିକର ଋଣ ପରିମାଣ ୧୩୬.୮ ଲକ୍ଷ କୋଟିରେ ପହଞ୍ଚିଥିବାବେଳେ ଗତବର୍ଷଠାରୁ ଏହା ୧୭.୮ ଲକ୍ଷ କୋଟି ଅଧିକ ରହିଛି । ବ୍ୟାଙ୍କଗୁଡିକର କ୍ରେଡିଟ୍ ଟୁ ଡିପୋଜିଟ୍ ଅନୁପାତ ୭୨.୨ ପ୍ରତିଶତ (୨୦୨୨ ମାର୍ଚ୍ଚ)ରୁ ୭୫.୮ ପ୍ରତିଶତ (୨୦୨୩ ମାର୍ଚ୍ଚ)କୁ ବୃଦ୍ଧି ପାଇଛି ।
ଫିକ୍ସଡ୍ ଡିପୋଜିଟ୍ ଉପରେ ବ୍ୟାଙ୍କ ସୁଧ ପରିମାଣ ହ୍ରାସ କରିଥିବାରୁ ଲୋକେ ଏହାକୁ ପସନ୍ଦ କରୁନାହାନ୍ତି । ଅପରପକ୍ଷରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଥିବାରୁ ଋଣଗ୍ରହୀତାଙ୍କ ଉପରେ ଅତିରିକ୍ତ ସୁଧ ବୋଝ ପଡିବାରେ ଲାଗିଛି । ଏହାଛହା ବ୍ୟାଙ୍କରେ ଅର୍ଥ ଜମା କରିବା ଅପେକ୍ଷା ଲୋକେ ନିଜ ପାଖରେ ଅଧିକ ଟଙ୍କା ରଖିବାକୁ ଆଗ୍ରହୀ ଥିବା ଲକ୍ଷ୍ୟ କରାଯାଇଛି । ଏହି ଟଙ୍କାରେ ସେମାନେ ଜମି କିମ୍ବା ସୁନା କିଣିବାକୁ ଅଧିକ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଇଛି ।