କଟକ: ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୧ର ଫଳ ପ୍ରକାଶ ନେଇ ପୂର୍ବରୁ ରହିଥିବା କଟକଣାକୁ ହଟାଇଛନ୍ତି ହାଇକୋର୍ଟ । ଆବେଦନକାରୀ ଦିବ୍ୟାଙ୍ଗଙ୍କ ନିମନ୍ତେ ଗୋଟିଏ ପଦ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍ସି)ର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ବିନା ଅନୁମତିରେ ସିଭିଲ ସର୍ଭିସ ପରୀକ୍ଷା ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଚଳିତ ଜୁଲାଇ ୨୧ରେ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ଏହି ପରୀକ୍ଷା ସଂକ୍ରାନ୍ତରେ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ସମଗ୍ର ସିଭିଲ ସର୍ଭିସ ପରୀକ୍ଷା ଫଳ ଉପରେ କଟକଣା ଲଗାଇଥିଲେ । ତେବେ ଓପିଏସ୍ସି ପକ୍ଷରୁ ହାଇକୋର୍ଟଙ୍କ ଜୁଲାଇ ୨୧ ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଏର କରାଯାଇଥିଲା । ଜଣେ ପ୍ରାର୍ଥୀଙ୍କ ବିବାଦକୁ ନେଇ ଦାଏର ମାମଲାରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଫଳ ପ୍ରକାଶ ଉପରେ ଅଙ୍କୁଶ ଜାରି କରାଯିବା ଫଳରେ ଅନ୍ୟ ପ୍ରାର୍ଥୀମାନେ ପ୍ରଭାବିତ ହେବେ ବୋଲି ଆବେଦନରେ ଦର୍ଶାଯାଇଥିଲା । ତେବେ ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ବିଚାରାଧୀନ ମାମଲାର ଫଳାଫଳ ଉପରେ ଏହି ପ୍ରସଙ୍ଗ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ଓପିଏସ୍ସି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।