କୋରାପୁଟ : କୋରାପୁଟ ଜିଲା ପଟ୍ଟାଙ୍ଗି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଳପ୍ରପାତରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇ ବନ୍ଧୁଙ୍କର ମୃତ୍ୟୁ ଘଟିଛି। ତେବେ ମୃତ ଯୁବକ ଦ୍ବୟ କୋରାପୁଟ ସହର ପିଏଚଡି କଲୋନୀର ବୋଲି ଜଣାପଡିଛି। ସୂଚନା ଅନୁସାରେ, ୩ଜଣ ବନ୍ଧୁ କୋରାପୁଟରେ ଭୋଟ ଦେଇ ଏକ ଜିପ୍ ଯୋଗେ ପଟ୍ଟାଙ୍ଗି ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବାଡର ଜଳପ୍ରପାତ ବୁଲିବାକୁ ଆସିଥିଲେ। ଦୁଇଜଣ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ଅନ୍ୟ ସାଙ୍ଗ ଜଣକ ତାଙ୍କୁ ବାହାରେ ଅପେକ୍ଷା କରିଥିଲେ। ଅନେକ ସମୟ ବିତିଯିବା ପରେ ଦୁଇ ସାଙ୍ଗ ନ ଫେରିବାରୁ ଅନ୍ୟ ଜଣକ ତାଙ୍କୁ ଖୋଜିବାକୁ ଯାଇଥିଲେ। ମାତ୍ର ଜଳପ୍ରପାତରେ ଉଭୟଙ୍କ ଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ପଟ୍ଟାଙ୍ଗି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି।