28.1 C
Bhubaneswar
Thursday, November 14, 2024
Homeଓଡିଶାତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟରେ ୭୦% ମତଦାନ

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟରେ ୭୦% ମତଦାନ

ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । କେତେକ ବୁଥରେ ହିଂସାକୁ ଛାଡି ଦେଲେ ବାକି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୧ ବ୍ଲକର ୧୬୬୯ ଗ୍ରାମ ପଞ୍ଚାୟତର ୨୦୦ ଜିଲା ପରିଷଦ ଆସନ ପାଇଁ ମତଦାନ ସରିଛି। ୨୨ ହଜାର ୩୭୯ ବୁଥରେ ଭୋଟ ଗ୍ରହଣ ହୋଇଥିବା ବେଳେ ମତଦାନ ହାର ୭୦ପ୍ରତିଶତ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। କେଉଁ ବୁଥରେ ଉଭୟ ପକ୍ଷ ସମର୍ଥକଙ୍କ ମଧ୍ୟରେ ମାଡପିଟ ହୋଇଛି ତ ଆଉ କେଉଁ ବୁଥକୁ ଦୁର୍ବୃତ୍ତ ନିଜ ନିୟନ୍ତ୍ରଣକୁ ନେଇଥିବା ଅଭିଯୋଗ ଆସିଛି। ହିଂସା ଯୋଗୁଁ କିଛି ବୁଥରେ ମତଦାନ ହୋଇପାରି ନାହିଁ। ପ୍ରଥମ ପର୍ଯ୍ୟାୟରେ ୭୨୬ ଜିଲା ପରିଷଦ ପ୍ରାର୍ଥୀଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଧା ହୋଇଛି। ନିର୍ବାଚନ ଆୟୁକ୍ତ କହିଛନ୍ତି, ଭୋଟ ଗ୍ରହଣ ସମୟରେ କେତେକ ସ୍ଥାନରେ ଗଣ୍ଡଗୋଳ ଏବଂ ବିଶୃଙ୍ଖଳା ହୋଇଥିବା ନଜରକୁ ଆସିଛି, ଏହାକୁ ଗମ୍ଭୀରତାର ସହ ନିଆଯାଉଛି।

ପୁରୀ ଜିଲାର ୫ଟି ସ୍ଥାନ, ଯାଜପୁର ଜିଲାର ୭ଟି ଏବଂ ଢେଙ୍କାନାଳ ଜିଲାର ୩ଟି ସ୍ଥାନରେ ବିଶୃଙ୍ଖଳା ଘଟିଛି। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ସମ୍ପୃକ୍ତ ଜିଲାପାଳଙ୍କୁ ସବିଶେଷ ବିବରଣୀ ମଗାଯାଇଛି। ଜିଲାପାଳଙ୍କ ପାଖରୁ ବିବରଣୀ ପାଇବା ପରେ ଏ ଦିଗରେ ନିଷ୍ପତ୍ତି ନିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ସମୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ କରିବା ଦିଗରେ ଧ୍ୟାନ ଦିଆଯାଉଛି। ବିଶେଷ କରି ପୁରୀ ଓ ଯାଜପୁର ଜିଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି। ପୁରୀ ଜିଲାର କଣାସ ବ୍ଲକରେ ବିଶୃଙ୍ଖଳାକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ ଆୟୋଗଙ୍କ ନଜରକୁ ଆସିଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ନିର୍ଦେଶ ରହିଛି।

ପ୍ରଥମ ପର୍ଯ୍ୟାୟରେ ମୋଟ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଥିବାବେଳେ ପ୍ରାରମ୍ଭିକ ସୂଚନାନୁଯାୟୀ ମୋଟ ୭୦ ପ୍ରତିଶତ ଭୋଟର ମତଦାନ କରିଛନ୍ତି। କଳାହାଣ୍ଡି ଜିଲାର ଜୁନାଗଡ ବ୍ଲକର ତୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣ ଯୋଗୁଁ ନିର୍ବାଚନ ହୋଇ ପାରିନାହିଁ। କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଭୋଟ ଗ୍ରହଣ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଛି। ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପାଇଁ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ବିଭିନ୍ନ କାରଣରୁ ମୋଟ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ଉପରୋକ୍ତ ଜିଲା ପରିଷଦ ଜୋନ, ଗ୍ରାମପଞ୍ଚାୟତ ଓ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇପାରିନାହିଁ। ୧୩ ୱାର୍ଡମେମ୍ବର ପ୍ରାର୍ଥୀ, ୬ ସରପଞ୍ଚ ପ୍ରାର୍ଥୀ, ୩ ସମିତି ସଭ୍ୟ ପ୍ରାର୍ଥୀ ଏବଂ ଜଣେ ଜିଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନରେ ଭାଗ ନେଇଥିବା ସମସ୍ତ ପୁଲିଂ ଅଧିକାରୀ, ପୁଲିସ କର୍ତ୍ତୃପକ୍ଷ, ଜନସାଧାରଣ ତଥା ଭୋଟର ସକ୍ରିୟ ଭାବେ ଅଂଶ ଗ୍ରହଣ କରି ସହଯୋଗ କରିଛନ୍ତି। ଆଗାମୀ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ସ୍ଥାନରେ ଅନୁରୂପ ସହଯୋଗ ଲୋଡିଛନ୍ତି ନିର୍ବାଚନ ଆୟୁକ୍ତ। ୨୦୧୭ ପଞ୍ଚାୟତ ନିର୍ବାଚନ ୧ମ ପର୍ଯ୍ୟାୟରେ ୭୬.୬୫ ପ୍ରତିଶତ ମତଦାନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking