ମୁମ୍ବାଇ: ମୁମ୍ବାଇର କୁର୍ଲାସ୍ଥିତ ନାଏକ ନଗରରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ଚାରିମହଲା ବିଶିଷ୍ଟ କୋଠାଘର ଭୁଶୁଡି ପଡିିଛି। ଏହି ଘଟଣାରେ ୧୯ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ପାଇବାପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍ରେ ଓ ବିଏମ୍ସି (ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ) ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ୨୦୧୩ରେ ବିଏମ୍ସି ପକ୍ଷରୁ ଏହି ଅଟ୍ଟାଳିକାକୁ ବିପଜ୍ଜନକ ଘୋଷଣା କରାଯିବା ସହ ଏହାକୁ ମରାମତି କିମ୍ବା ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସତ୍ତ୍ୱେ ଘର ମାଲିକ କିମ୍ବା ଭଡାଟିଆମାନେ ଏଥିପ୍ରତି କର୍ଣ୍ଣପାତ କରିନଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ଧ୍ୱଂସସ୍ତୁପ ତଳେ ଆହୁରି ୨୦/୨୫ ଜଣ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି । ଅପରପକ୍ଷରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତଙ୍କୁ ମାଗଣା ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ସୁବାସ ଦେଶାଇ ଘୋଷଣା କରିଛନ୍ତି ।