ନୂଆଦିଲ୍ଲୀ: କେନ୍ଦ୍ର ସରକାର ମେ’ ତୃତୀୟ ସପ୍ତାହରେ ଦେଶରେ ୨୦୦୦ ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ ଘୋଷଣା କରିଥିଲେ । ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବଦଳାଯାଇ ପାରିବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି । ଜୁନ୍ ୮ ସୁଦ୍ଧା ୧.୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଆସିସାରିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ସୂଚନା ଦେଇଛନ୍ତି ।
ଅର୍ଥାତ ଦେଶରେ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟ୍ର ୫୦ ପ୍ରତିଶତ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରିଆସିଛି । ଘୋଷଣା ସମୟରେ ଦେଶରେ ୩.୬୦ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ପ୍ରସାରିତ ହେଉଥିଲା । ୨୦୧୬ ନଭେମ୍ବର ୮ରେ ଦେଶରେ ନୋଟବନ୍ଦୀ ଘୋଷଣା କରାଯାଇଥିବାବେଳେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ପ୍ରଚଳନକୁ ବାତିଲ କରାଯାଇଥିଲା । ସେହି ସମୟରେ ସରକାର ନୂତନଭାବେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ମୁଦ୍ରଣ କରିଥିଲେ । ବାତିଲ ଘୋଷଣା ସତ୍ତ୍ୱେ ୨୦୦୦ ଟଙ୍କିଆ ନୋଟ୍କୁ ଲିଗାଲ ଟେଣ୍ଡରଭାବେ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବରୁ ସ୍ପଷ୍ଟ କରିସାରିଛି ।