କୋହିମା : ଆଗାମୀ ଲୋକସଭା ନିର୍ବାଚନକୁ ନେଇ କେବଳ ବିଜେପି ଯେ ପ୍ରସ୍ତୁତି କରୁଛି ତାହା ନୁହେଁ କଂଗ୍ରେସ ମଧ୍ୟ ସମତାଳରେ ରଣନୀତି ବା ଗୋଟି ଚାଳନା କରୁଥିବା ଦେଖିବାକୁ ମିଳୁଛି । ଆସନ୍ତା ୨୮ ତାରିଖରେ ନାଗପୁରରେ କଂଗ୍ରେସ ନିଜର ୧୩୯ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ଦଳ ନାଗପୁରରେ ଏକ ବିଶାଳ ରାଲିର ମଧ୍ୟ ଆୟୋଜନ କରିବ । ତେବେ ଏହା ଦଳ ପାଇଁ ଏକ ବଡ଼ ସୁଯୋଗ ହୋଇଥିବା ବେଳେ ଦଳର ସବୁ ବରିଷ୍ଠ ନେତାମାନଙ୍କ ଉପସ୍ଥିତି ପାଇଁ ଦଳ ଚେଷ୍ଟା ଚଳାଇଛି ।
କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଯଦି ସବୁକିଛି ଠିକ୍ ରୁହେ ତେବେ କଂଗ୍ରେସ ଏହି ଠାରୁ ହିଁ ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ବିଗୁଲ ବଜାଇପାରେ । କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରତିଷ୍ଠା ଦିବସରେ ଆୟୋଜିତ ହେବାକୁ ଥିବା ଏହି ରାଲିରେ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ବିଶାଳ ରାଲି ପାଇଁ ପ୍ରାୟ ୧ଠ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ।
ବେଣୁଗୋପାଳଙ୍କ ଅନୁସାରେ ବର୍ତ୍ତମାନ ସମୟରେ ଶାସକ ଦଳ କେବଳ ନିଜ ଇଚ୍ଛା ଅନୁସାରେ କାମ କରୁଥିବା ଦେଶବାସୀ ଭଲଭାବେ ଦେଖୁଛନ୍ତି ଏବଂ ବୁଝୁଛନ୍ତି । ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ ସରକାର କୌଣସି ସ୍ପଷ୍ଟିକରଣ ଦେଉନଥିବା ବେଳେ ଯେଉଁ ବିଜେପି ସାଂସଦଙ୍କ ପାସ୍ ଯୋଗୁ ଏସବୁ କିଛି ଘଟିଛି ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁନାହିଁ । ତେବେ ଶାସକ ଦଳର ଏପ୍ରକାର ସ୍ୱେଚ୍ଛାଚାରିତା ସମ୍ପର୍କରେ ନାଗପୁରରେ ଆୟୋଜିତ ହେବାକୁ ଥିବା ବିଶାଳ ସମାବେଶରେ ବ୍ୟାପକ ଆଲୋଚନା ହେବ ବୋଲି ବେଣୁଗୋପାଳ କହିଛନ୍ତି ।