ନୂଆଦିଲ୍ଲୀ: ପୁଣି ଧିମେଇବ ଦେଶର ଅର୍ଥନୀତି। ରେଟିଂ ଏଜେନ୍ସି ମୁଡ଼ିଜ ଇନଭେଷ୍ଟର ସର୍ଭିସ ଏଭଳି ଆଶଙ୍କା ପ୍ରକାଶ କରିଛି। ମୁଡିଜ ଦେଶର ଘରୋଇ ଉତ୍ପାଦ (ଜିଡିପି)କୁ ନେଇ ନୂଆ ଅନୁମାନ ଜାରି କରିଛି। ୨୦୨୨ ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧିର ଅନୁମାନ ୭.୭ ପ୍ରତିଶତରୁ ହ୍ରାସ କରାଇ ୭ ପ୍ରତିଶତ କରିଛି ମୁଡ଼ିଜ। ଏପରି ଦ୍ୱିତୀୟ ଥର ପାଇଁ ମୁଡ଼ିଜ ଭାରତ ଅଭିବୃଦ୍ଧିର ପୂର୍ବାନୁମାନକୁ ହ୍ରାସ କରିଛି। ଏହାପୂର୍ବରୁ ମୁଡିଜ ୨୦୨୨ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ୮.୮ ରହିବା ନେଇ ଅନୁମାନ କରିଥିଲା। ଯାହାକୁ ସେପ୍ଟେମ୍ୱରରେ ପୁଣି ହ୍ରାସ କରାଇ ୭.୭ ପ୍ରତିଶତ କରିଥିଲା।
ମୁଡିଜ୍ ଅନୁସାରେ, ଘରୋଇ ସ୍ତରରେ ଉଚ୍ଚ ସୁଧ ହାର ଏବଂ ବିଶ୍ୱର ଅଭିବୃଦ୍ଧି ଧିମେଇବା ଭାରତର ଆର୍ଥିକ ବିକାଶକୁ ପ୍ରଭାବିତ କରିବ । ମୁଡିଜ୍ କହିଛି, ଦରବୃଦ୍ଧି, ଉଚ୍ଚ ସୁଧ ହାର ଏବଂ ବିଶ୍ୱର ବିକାଶରେ ମନ୍ଥର ଆସିବା ପ୍ରଭାବ ଆମ ପୂର୍ବ ଆକଳନ ଠାରୁ ଅଧିକ ରହିବ । ରେଟିଂ ଏଜେନ୍ସି ମୁଡିଜ କହିଛି, ବିକାଶ ହାର ୨୦୨୩ରେ ହ୍ରାସ ହୋଇ ୪.୮ ପ୍ରତିଶତ ରହିବ, ପରେ ଏହା ୨୦୨୪ରେ ବଢି ପ୍ରାୟ ୬.୪ ପ୍ରତିଶତ ହେବ।
ସୂଚନା ଥାଉକି, ସ୍ୱିଜରଲ୍ୟାଣ୍ଡର ବ୍ରୋକରେଜ କମ୍ପାନୀ ୟୁବିଏସ ଇଣ୍ଡିଆ ନିକଟରେ ମଧ୍ୟ ଜିଡିପିକୁ ନେଇ ଅନୁମାନ ଜାରି କରିଥିଲା। ବ୍ରୋକରେଜ ଅନୁସାରେ ଭାରତ ଜିଡିପିର ଅଭିବୃଦ୍ଧି ହାର ଆଗାମୀ ବର୍ଷ ୨୦୨୩-୨୪ରେ ହ୍ରାସ ପାଇ ୫.୫ ପ୍ରତିଶତ ହୋଇପାରେ। ଏହା ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୬.୯ ପ୍ରତିଶତ ରିହବା ନେଇ ଅନୁମାନ କରିଛି।