ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଦିମ ଜନଜାତିଙ୍କୁ ମିଳୁନି ଜୀବନ ଜୀବିକା ସ୍ରୋତ
ଦିଶାହୀନ ଡବଲ ଇଞ୍ଜିନ ସରକାର ପାଇଁ ଦାଦନ ଖଟିବାକୁ ହୋଇଛନ୍ତି ବାଧ୍ୟ
ଜିତୁ ମୁଣ୍ଡା ଘଟଣାରୁ କିଛି ଶିଖିଲେନି ରାଜ୍ୟ ସରକାର
ଭୁବନେଶ୍ୱର : ଡବଲ ଇଞ୍ଜିନ ସରକାରଙ୍କ ଆଦିବାସୀ ମାରଣ ନୀତି ପାଇଁ ଜୁଆଙ୍ଗ ଜନଜାତି ଉପେକ୍ଷିତ ହୋଇ ରହିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ତାମିଲନାଡୁ ଦାଦନ ଖଟିବାକୁ ଯାଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ଜୁଆଙ୍ଗ ଜନଜାତି ଅକାଳ ମୃତ୍ୟୁ ଘଟଣାରୁ ମିଳିଛି । ବିଜେଡି ସଭାପତି ତଥା ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ତଥ୍ୟ ଅନୁସନ୍ଧାନକାରୀ ଦଳ କେନ୍ଦୁଝର ଗସ୍ତ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନୁ୍ୟ ସେଠୀ, ସୋର ବିଧାୟକ ଶ୍ରୀ ମାଧବ ଧଡ଼ା, ପୂର୍ବତନ ସାଂସଦ ଶ୍ରୀ ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ଶ୍ରୀ ଧନୁର୍ଜୟ ସିଦ୍ଧୁ, ପୂର୍ବତନ ବିଧାୟକ ଶ୍ରୀ ଜଗନ୍ନାଥ ନାୟକ, ମୟୂରଭଂଜ-୨ ଜିଲ୍ଲା ସଭାପତି ଡ଼ା ଦେବାଶିଷ ମାର୍ଣ୍ଡି, କେନ୍ଦୁଝର ବିଜେଡି ବିଧାୟିକା ପ୍ରାର୍ଥୀନି ଶ୍ରୀମତୀ ମୀନା ମାଝୀ, କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀ କାହ୍ନୁଚରଣ ବାହୀ, କେନ୍ଦୁଝର ଜିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଶ୍ରୀ ବିଜୟ ମହାନ୍ତି ପ୍ରମୂଖ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଘଟଣା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଏହି ପ୍ରତିନିଧିମଣ୍ଡଳୀ ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟିଥିଲେ । କେନ୍ଦୁଝର ଜିଲ୍ଲା ରତ୍ନଗର୍ଭା ହୋଇଥିବା ବେଳେ ଜୁଆଙ୍ଗ ଜନଜାତି ଉପେକ୍ଷିତ ହେଉଥିବା ନେଇ ଅଭିଯୋଗ କରିଥିଲେ । ଆଦିବାସି ଜନଜାତିଙ୍କୁ ଜୀବନ ଜୀବିକା ଯୋଗାଇ ସମାଜର ମୁଖ୍ୟ ସ୍ରୋତରେ ଆଣିବା ପାଇଁ ଅନେକ ଗୁଡ଼ିଏ ଯୋଜନା ରହିଛି । ଜୁଆଙ୍ଗ ଜନଜାତି ଉନ୍ନୟନ ପ୍ରକଳ୍ପ, ଆଇଟିଡିଏ, ମନରେଗା, ଜୀବିକା ମିଶନ, ଓମ୍ୱାଡସି ଆଦି ଜରିଆରେ ଜୀବନ ଜୀବିକା ଯୋଗାଇବାର ବ୍ୟବସ୍ଥା ଥାଇ ମଧ୍ୟ ଦାଦନ ଖଟିବାକୁ ଯାଉଛନ୍ତି । ବିକାଶ ମୂଳକ କାର୍ଯ୍ୟ ଗତ ଦୁଇ ବର୍ଷ ହେବ ଠପ୍ ହୋଇଥିବାରୁ ଶ୍ରମ ନିଯୁକ୍ତି ମିଳୁନାହିଁ । ଜୁଆଙ୍ଗ ଜନଜାତି ଦାଦନ ଖଟିବାକୁ ଯାଇଥିବା ବେଳେ ଶ୍ରମ ବିଭାଗ, ଆଦିବାସୀ ବିଭାଗ ମନ୍ତ୍ରୀ କିମ୍ବା ଆଇଟିଡିଏ ପାଖରେ ଖବର ନାହିଁ । ମୃତକ ମାନେ ସରକାରୀ ସହାୟତା ପାଇବା ନେଇ ବର୍ତ୍ତମାନ ପର୍ୟ୍ୟନ୍ତ ଯାଞ୍ଚ ହୋଇନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଶ୍ରମ ମନ୍ତ୍ରୀ, ଆରଡିସି ଓ ଜିଲ୍ଲାପାଳ ମଧ୍ୟ ମୃତକଙ୍କ ପରିବାର ନିକଟକୁ ଯାଇ ଆଲୋଚନା କରିଲେ ନାହିଁ । ମୃତ୍ୟୁର ୧୦ଦିନ ପରେ ମଧ୍ୟ ମୃତକ ପରିବାର ଲୋକେ କୌଣସି ସରକାରୀ ସହାୟତା ପାଇଲେ ନାହିଁ । ତୁରନ୍ତ ଅନୁଧ୍ୟାନ କରି ସମସ୍ତ ମୃତକ ମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ନେଇ ଜିଲ୍ଲାପାଳଙ୍କୁ ଦାବି ଉପସ୍ଥାପନ କରାଯାଇଛି । ଏହାପରେ କେନ୍ଦୁଝର ସ୍ଥିତ ରୋଟାରୀ ଭବନରେ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ବିଜେପି ସରକାରଙ୍କ ବିଫଳତା ନେଇ ବର୍ଷିଛନ୍ତି ।
ବରିଷ୍ଠ ଉପସଭାପତି ଶ୍ରୀ ଦାସବର୍ମା କହିଛନ୍ତି ଯେ, ତାମିଲନାଡୁର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ କାମ କରୁଥିବା ବେଳେ ଏମୋନିଆ ଗ୍ୟାସ ଲିକ୍ ହେବାରୁ କେନ୍ଦୁଝର ଜିଲ୍ଲା ୧୪ଜଣ ଜୁଆଙ୍ଗ ଜନଜାତିଙ୍କ ଦୁଃଖଦ ମୃତ୍ୟୁ ହୋଇଛି । କିନ୍ତୁ ଏଥିପ୍ରତି ବିଜେପି ସରକାରଙ୍କ ତିଳେ ହେଲେ ସମବେଦନା ନାହିଁ । ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ବିଜେପି ବ୍ୟସ୍ତ ରହିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ତାଙ୍କ ଜିଲ୍ଲାରେ ଆଦିବାସୀ ଉପେକ୍ଷିତ ହୋଇ ରହିଛନ୍ତି । ଜିତୁ ମୁଣ୍ଡା ନିଜ ଭଉଣୀର କଙ୍କାଳ ବ୍ୟାଙ୍କକୁ ବୋହିକି ନେବା ଘଟଣାରୁ ମଧ୍ୟ ବିଜେପି ସରକାର କିଛି ଶିଖିଲେ ନାହିଁ । ଜନଜାତି ମାନଙ୍କ ଉନ୍ନତି ପାଇଁ ଏତେ ଯୋଜନା ଥିବା ବେଳେ ବିଜେପି ସରକାରରେ ସେମାନେ ଉପେକ୍ଷିତ ହେଉଛନ୍ତି । ଜୁଆଙ୍ଗ ଜନଜାତି ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ବ୍ୟବସ୍ଥା, ଅପ ପୁଷ୍ଟି ସମସ୍ୟା, ପାନୀୟ ଜଳ ସମସ୍ୟାର ସମାଧାନ କରିବାରେ ସମ୍ପୂର୍ଣ ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଆଦିମ ଜନଜାତି ମାନେ କିପରି କାମଧନ୍ଦା ନପାଇ ଅଳ୍ପ ବୟସରେ ଦଲାଲଙ୍କ ଫାନ୍ଦରେ ପଡି ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜୀବନ ହାରି ଶବ ହୋଇ ଘରକୁ ଫେରୁଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ସେହିପରି ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ, ଜୁଆଙ୍ଗ ଜନଜାତିର ଲୋକେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଅତି ନିନ୍ଦନୀୟ ଘଟଣା । କିନ୍ତୁ ବିଜେପି ସରକାର ଏହାପରେ ମଧ୍ୟ ନିଜ ଦୋଷ ତ୍ରୁଟିକୁ ସ୍ୱୀକାର କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । କିନ୍ତୁ ବିଜେପି ସରକାର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛନ୍ତି । କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକା କନ୍ୟାକୁ ଦୁଇଜଣ ଦୁର୍ବୁତ୍ତ ଅମାନବିକ ଅତ୍ୟାଚାର କରି ହତ୍ୟା ଉଦ୍ୟମ କରିଛନ୍ତି । ରାଜ୍ୟ ସାରା ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି ।
କେନ୍ଦୁଝର ଘଟଣା ରାଜ୍ୟ ପାଇଁ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବିଜେପି ସରକାରଙ୍କ ବିଫଳତା ପାଇଁ ଜାତୀୟ ସ୍ତରରେ ଓଡିଶା ନିନ୍ଦିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାରମ୍ୱାର ଲଜ୍ଜ୍ୟା ଜନକ ଘଟଣା ହେଉଛି । ଯାହାକି ବିଜେପି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ସରକାର ଅବହେଳା ପାଇଁ ଆଦିମ ଜନଜାତି ସମାଜରୁ ମୁଖ୍ୟ ସ୍ରୋତରୁ ଦୂରେଇ ଯାଇଛନ୍ତି । ଡବଲ ଇଞ୍ଜିନ ସରକାର ବିଫଳତା ପାଇଁ ଆଜି ଦୁଃଖଦ ମୃତ୍ୟୁ ହୋଇଛି । ଏହା କେବଳ ଏକ ପରିବାରର ଦୁଃଖ ନୁହେଁ, ଏହା ରାଜ୍ୟ ସରକାରଙ୍କ ରୋଜଗାର ଓ ଆଦିବାସୀ ବିକାଶ ନୀତିର ବିଫଳତାର ପ୍ରତୀକ ଅଟେ । ଡବଲ୍ ଇଞ୍ଜିନ ସରକାର ଦ୍ୱିତୀୟ ବର୍ଷ ପୂର୍ତ୍ତି ନେଇ ମିଛ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଛନ୍ତି । ଆଦିବାସୀ ଅଞ୍ଚଳରେ ସ୍ଥାନୀୟ ରୋଜଗାର ସୃଷ୍ଟି, ମହିଳାଙ୍କ ସୁରକ୍ଷା ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯଦି ଓଡ଼ିଶାରେ ରୋଜଗାରଥାନ୍ତା, ତେବେ ଆଦିବାସୀ ମାନେ ଦାଦନ ଶ୍ରମିକ ହୋଇ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହୋଇନଥାନ୍ତେ । ବିଜେପି ସରକାର ଦାଦନ ସମସ୍ୟା ରୋକିବାରେ ବିଫଳତାର ଏହା ଏକ ନଗ୍ନ ଚିତ୍ର । ଆଜି ବି ଆଦିବାସୀ ଅଞ୍ଚଳର ଯୁବକ ଯୁବତୀ ମାନେ ଜୀବିକାର ସନ୍ଧାନରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ସେହି ଅବହେଳାର ପରିଣାମ ସେମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି । ତେଣୁକରି ଏହି ଦୁର୍ଘଟଣାରେ ସମସ୍ତ ପୀଡ଼ିତ ପରିବାରଙ୍କୁ ନ୍ୟାୟ, ଉପଯୁକ୍ତ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ ନିମନ୍ତେ ବିଜେଡି ପକ୍ଷରୁ ଦାବି କରାଯାଇଛି ।










