ଭାରତୀୟ ଦଳରେ ଅମିତ୍ ଓ ଶିଳାନନ୍ଦ
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୮ ତାରିଖଠାରୁ ଭାରତ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗୁରୁବାର ଏଥିସକାଶେ ହକି ଇଣ୍ଡିଆ ପକ୍ଷରୁ ଏକ ୨୫ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୨୦ ଜଣ ନିୟମିତ ଖେଳାଳି ଥିବା ବେଳେ ୫ ଜଣଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି । ଏଥିରେ ଓଡ଼ିଶାରୁ ୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅଭିଜ୍ଞ ଡିଫେଣ୍ଡର୍ ଅମିତ୍ ରୋହିଦାସ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା । ଏଥିସହ ପ୍ରଥମ ଥର ପାଇଁ ସିନିୟର୍ ଟିମ୍ରେ ସୁଯୋଗ ପାଇଛନ୍ତି ଡିଫେଣ୍ଡର୍ ଯୁଗରାଜ ସିଂହ ଓ ଫରୱାର୍ଡ ଅଭିଷେକ । ଅମ୍ରିତସର ନିବାସୀ ଯୁଗରାଜ ଗତ ଜାନୁଆରୀରେ ଅନୁଷ୍ଠିତ ଆନ୍ତଃବିଭାଗ ଜାତୀୟ ଚାମ୍ପିଅନ୍ଶିପ୍ରେ ସର୍ଭିସେସ୍ ସ୍ପୋର୍ଟ୍ସ କଣ୍ଟ୍ରୋଲ୍ ବୋର୍ଡ ପକ୍ଷରୁ ପ୍ରତିନିଧିତ୍ୱ କରି ଉନ୍ନତ ପ୍ରଦର୍ଶନ ମାଧ୍ୟମରେ ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିପାରିଥିଲେ ।
ସେହିପରି ୨୦୧୭ ଓ ୨୦୧୮ରେ ଜୁନିୟର୍ ଟୁର୍ଣ୍ଣାମେଣ୍ଟ୍ ସୁଲତାନ୍ ଅଫ୍ ଜୋହର୍ କପ୍ରେ ପ୍ରତିନିଧିତ୍ୱ କରିଥିବା ଅଭିଷେକ ମଧ୍ୟ ଆନ୍ତଃବିଭାଗ ଜାତୀୟ ଚାମ୍ପିଅନ୍ଶିପ୍ରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ପକ୍ଷରୁ ଭଲ ପ୍ରଦର୍ଶନ କରିଥିଲେ । ସେହିପରି ଏହି ଦଳର ନେତୃତ୍ୱ ଦାୟିତ୍ୱ ମିଡ୍ଫିଲଡର୍ ମନପ୍ରୀତ୍ ସିଂହ ବଜାୟ ରଖିଥିବା ବେଳେ ଅଭିଜ୍ଞ ଡ୍ରାଗ୍ଫ୍ଲିକର୍ ତଥା ଡିଫେଣ୍ଡର୍ ହରମନପ୍ରୀତ୍ ସିଂହ ଉପଅଧିନାୟକ ଦାୟିତ୍ୱ ପାଇଛନ୍ତି । ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଗୋଲକିପର୍ ପିଆର୍ ଶ୍ରୀଜେଶ୍ ଓ କ୍ରିଷ୍ଣା ବାହାଦୁର ପାଠକ, ଡିଫେଣ୍ଡର୍ ସୁରେନ୍ଦର କୁମାର, ବରୁନ୍ କୁମାର ଓ ଜରମନ୍ପ୍ରୀତ୍ ସିଂହ, ମିଡ୍ଫିଲଡର୍ ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ଜସକରନ୍ ସିଂହ, ଶମଶେର୍ ସିଂହ ଓ ବିବେକ ସାଗର ପ୍ରସାଦ, ଫରୱାର୍ଡ ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ ଓ ଦିଲପ୍ରୀତ୍ ସିଂହ । ଷ୍ଟାଣ୍ଡବାଇ ଖେଳାଳି ଭାବେ ସୂରଜ୍ କେର୍କେରା, ମନଦୀପ ମୋର୍, ରାଜକୁମାର ପାଲ, ସୁମିତ୍ ଓ ଗୁରସାହିବଜିତ୍ ସିହ ସ୍ଥାନ ପାଇଛନ୍ତି ।