ଗଞ୍ଜାମ : ସୋସିଆଲ ମିଡିଆ ଜରିଆରେ ସମ୍ପର୍କ ରଖି ବିବାହ ପ୍ରତିଶୃତି ଦେଇ ଓଡିଶାର ବିଭିନ୍ନ ସ୍ଥାନର ନିରୀହ ଯୁବତୀମାନଙ୍କୁ ଟଙ୍କା ଠକେଇ କରୁଥିବା ଯୁବକଙ୍କୁ ଛତ୍ରପୁର ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ସେହେଲେ ଅନଗୁଳ ଟାଉନ୍ ଥାନା ଅଧିନ ଖଲାରୀ ଗାଁ ର ଭବାନୀ ସିଦ୍ଧାର୍ଥ ଶଙ୍କର (୨୬) । ତାଙ୍କୁ ଶନିବାର ଛତ୍ରପୁର ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଗିରଫ ଭବାନୀ ଠାରୁ ୧ ଲକ୍ଷ ୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏଥିସହ ଛତ୍ରପୁର ପୋଲିସ ତଦନ୍ତ କରି ୩ ଟି ମୋବାଇଲ ଫୋନ୍, ବ୍ୟାଙ୍କ ଖାତା, ଆଧାର କାର୍ଡ, ହୁଆଟ୍ସ ଆପ୍ ସ୍କ୍ରିନ୍ ସଟ୍ ଆଦି ଜବତ ଜବତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳର ଜଣେ ୨୬ ବର୍ଷୀୟା ଯୁବତୀଙ୍କ ସହ ଭବାନୀ ସୋସିଆଲ ମିଡିଆରେ ସମ୍ପର୍କ ରଖି ବିବାହ ପ୍ରତୃଶୃତି ଦେଇଆସୁଥିଲେ । ପରେ ତାଙ୍କୁ ବିଭିନ୍ନ କିସ୍ତିରେ ୧ ଲକ୍ଷ ୧୦ ହଜାର ଟଙ୍କା ମାଗିଥିଲେ । ତେବେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର ବଦଳରେ ନିଜର ଜଣେ ସହଯୋଗୀ କର୍ମୀ ତଥା କୋରାପୁଟ ଜିଲ୍ଲା ନନ୍ଦପୁର ନିକଟ ଉମ୍ବେଲ ଗାଁର ରାମ ପାଙ୍ଗିର ଫୋନ୍ ପେ ନମ୍ବର ଉକ୍ତ ଯୁବତୀଙ୍କୁ ଦେଇଥିଲେ । ପରେ ଯୁବତୀ ଜଣଙ୍କ ରାମଙ୍କ ଫୋନ୍ ପେ କୁ ୧ ଲକ୍ଷ ୧୦ ହଜାର ଟଙ୍କା ପଠାଇଥିଲେ । ମାତ୍ର ଏସମ୍ପର୍କରେ ରାମ ସତ୍ୟ ଘଟଣା ଜାଣିନଥିଲେ ଏବଂ ବିଶ୍ୱାସ କରି ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ଭବାନୀଙ୍କୁ ଦେଇଥିଲେ । ପରେ ଉକ୍ତ ସାଇବର ଠକେଇର ଶୀକାର ଯୁବତୀ ଜଣଙ୍କ ଛତ୍ରପୁର ଥାନାରେ ୨୦୨୧ ଡିସେମ୍ବର ୨୫ ତାରିଖରେ ଏନେଇ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତି କରି ଛତ୍ରପୁର ଥାନା ପୋଲିସ ବିଭିନ୍ନ ଧାରା ଲଗାଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଫୋନ୍ ପେ କୁ ଟଙ୍କା ଯାଇଥିବା ରାମକୁ ୪ ତାରିଖରେ ଛତ୍ରୁର ପୋଲିସର ଏକ ଟିମ୍ କୋରାପୁଟ ଜିଲ୍ଲା ସେମିଳିଗୁଡାର ଧରିଥିଲେ । ପରେ ତାଙ୍କୁ ଛତ୍ରପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ତାଙ୍କର ବୟାନ ଓ ମୋବାଇଲ ଫୋନ୍ ଲୋକେସନକୁ ଟ୍ରାକ୍ କରି ୮ ତାରିଖରେ ଭବାନୀଙ୍କୁ ବ୍ରହ୍ମପୁର ବସଷ୍ଟାଣ୍ଡ ଅଞ୍ଚଳରୁ ଛତ୍ରପୁର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପୂର୍ବରୁ ଭବାନୀ ରାଉରକେଲା ସେକ୍ଟର-୭, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଏବଂ ବ୍ରହ୍ମପୁର ସାଇବର ଥାନା ଅଞ୍ଚଳରେ ମଧ୍ୟ ଗୋଟିଏ ଲେଖାଏଁ ଏଭଳି ସାଇବର ଠକେଇରେ ସଂପୃକ୍ତ ଥାଇ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।