ଖୋର୍ଦ୍ଧା: ସଦରଥାନା ଅଧୀନ ଦଳେଇପୁଟ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ସନ୍ଧ୍ୟାରେ ବୋମା ମାଡ଼ ହୋଇଥିଲା । ମଦ୍ୟପାନ ଓ ଦାଦାବଟି ବୋଲି ପୁଲିସ କହିୁଥିବା ବେଳେ ଘଟଣା ପଛରେ ନିର୍ବାଚନ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି । ସଦର ଥାନା ପୁଲିସର ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ ସୁଧାଂଶୁ ସାମନ୍ତରାୟ (୨୫) ଓ ତା’ର ଅନ୍ୟ କିଛି ସହଯୋଗୀ ଦଳେଇପୁଟ ଗାଁର ଢାବା ମାଲିକ ରଞ୍ଜନ ଦାସଙ୍କ ଘରେ ପହଞ୍ଚିଥିଲେ । ପ୍ରଥମେ ଗାଳିଗୁଲଜ କରିବା ପରେ ରଞ୍ଜନଙ୍କ ପରିବାର ସେମାନଙ୍କୁ ଘଉଡ଼ିବାକୁ ଚେଷ୍ଟା କରିବାରୁ ରଞ୍ଜନଙ୍କୁ ଲକ୍ଷ୍ୟ କରି ବୋମା ମାଡ଼ କରିଥିଲେ । ବୋମା ଦୈବାତ୍ ରଞ୍ଜନଙ୍କ ଦେହରେ ନବାଜି ଘରର କାନ୍ଥରେ ବାଜିଥିଲା । ଏନେଇ ରଞ୍ଜନ ସଦର ଥାନାରେ ଅଭିଯୋଗ ଅନୁସାରେ ପୁଲିସ ପିଙ୍କୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ଏଥିରେ କେହି ଆହତ ହୋଇନଥିଲେ ମଧ୍ୟ ଘଟଣାକୁ ନେଇ ଅଞ୍ଚଳରେ ଭିନ୍ନ ମତ ପ୍ରକାଶ ପାଇଛି । ପୁଲିସ ଜାଣିଶୁଣି ଖୋର୍ଦ୍ଧା ବ୍ଲକରେ ଘଟିଥିବା ନିର୍ବାଚନୀ ହିଂସାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଯଦି ମଦ ପାଇଁ ପିଙ୍କୁ ଓ ତା’ର ସହଯୋଗୀ ଢାବାରେ ରଞ୍ଜନଙ୍କୁ ଟଙ୍କା ମାଗି ଗଣ୍ଡଗୋଳ କରିଥିଲେ, ଘରକୁ ଆସି ବୋମା ମାଡ଼ କରିବା ପଛରେ କାରଣ କ’ଣ ଥାଇପାରେ । ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ରଞ୍ଜନଙ୍କୁ ପିଙ୍କୁ ଆକ୍ରମଣ କରୁଥିବା କୁହାଯାଉଛି ।