ରାଞ୍ଚି: ଝାଡଖଣ୍ଡରେ ପ୍ରେମ ପାଇଁ ପୁଣି ଗଡିଲା ମୁଣ୍ଡ । ଭିନ୍ନ ସମ୍ପ୍ରଦାୟରେ ପ୍ରେମ ସମ୍ପର୍କ କାରଣରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଗାଁ ଲୋକେ । ଝାଡଖଣ୍ଡ ମହୁଆତଣ୍ଡ ଥାନା ଅନ୍ତର୍ଗତ ଧୱାଇ ଗ୍ରାମରେ ଏଭଳି ନାରକୀୟ କାଣ୍ଡ ଘଟିଛି । ଗାଁ ଲୋକେ ଜଣେ ମୁସଲିମ ସମ୍ପ୍ରଦାୟର ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ପୋଲିସ ଏହି ହତ୍ୟା ଘଟଣାରେ ମୋଟ ୧୧ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ମୁସଲିମ ସମ୍ପ୍ରଦାୟର ଯୁବକ ଅନ୍ୟ ଏକ ସମ୍ପ୍ରଦାୟର ମହିଳାଙ୍କୁ ପ୍ରେମ କରୁଥିଲେ । ଏହି ଘଟଣା ଜଣାପଡିବା ପରେ ଗାଁ ଲୋକେ ଖୁବ୍ ରାଗି ଯାଇଥିଲେ ଏବଂ ଦୁହିଁଙ୍କ ପ୍ରେମକୁ ବିରୋଧ କରିଥିଲେ । ଶେଷରେ ଦୁହିଁଙ୍କୁ ଅଲଗା କରିବାକୁ ଯାଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି ।
ଅନ୍ୟପଟେ ଝାଡଖଣ୍ଡ ଦୁମ୍କା ପୀଡିତା ମାରୁତି କୁମାରୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି । ବିବାହ ପାଇଁ ଅରାଜି ହେବାରୁ ପ୍ରେମିକ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟିଛି । ଏହି ବୀଭତ୍ସ ଘଟଣାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
ପ୍ରକାଶଥାଉ କି, ୨୦୧୯ରୁ ରାଜେଶ ରାଉତ ନାମକ ଯୁବକଙ୍କ ସହ ମାରୁତି କୁମାରୀଙ୍କ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ଫେବୃୟାରୀରେ ରାଜେଶର ଅନ୍ୟତ୍ର ବିବାହ ହୋଇଯାଇଥିଲା । ଏପଟେ ମାରୁତିଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ବିବାହ ପାଇଁ ବର ଖୋଜିବା ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ରାଜେଶ ପ୍ରେମିକାକୁ ଧମକ ଦେଇଥିଲା ଯେ, ଯଦି ମୋତେ ବାହା ନ ହୁଅ ତେବେ ଅଙ୍କିତା ଭଳି ତମକୁ ମଧ୍ୟ ଜଳାଇ ମାରିଦେବି । ଗୁରୁବାର ରାତିରେ ରାଜେଶ କବାଟ ଭାଙ୍ଗି ଜୋର ଜବରଜସ୍ତ ଯୁବତୀଙ୍କ ଘରେ ପଶିଥିଲା ଏବଂ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।