ବେଜିଙ୍ଗ: ଚୀନର ଜଣେ ଫୁଡ ଡେଲିଭରି ବୟ ଆତ୍ମହତ୍ୟା କରୁଥିବା ଜଣେ ଗ୍ରାହକଙ୍କ ଜୀବନ ରକ୍ଷା କରିବା ପରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରାଯାଉଛି । ଚୀନ୍ର ହେନାନ ପ୍ରଦେଶରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଜଣେ ଯୁବକ ଖାଦ୍ୟ ଅର୍ଡର କରିବା ସହ ଏକ ନୋଟ ଲେଖିଥିଲେ ଯେ ‘ମୋ ଜୀବନର ଶେଷ ଭୋଜନ’ । ଯେତେବେଳେ ଡେଲିଭରି ବୟ ଗ୍ରାହକଙ୍କ ଠିକଣାରେ ପହଞ୍ଚିଲେ, ବାରମ୍ବାର ଡାକିଥିଲେ ବି କେହି ଉତ୍ତର ଦେଇନଥିଲେ । ଆଉ ଡେଲିଭରି ବୟ ଜଣକ ସନ୍ଦେହ କରିଥିଲେ ଯେ ଅର୍ଡର ଦେବାବେଳେ ଅଜବ ନୋଟ୍ ଲେଖିଥିବା ଗ୍ରାହକ ଜଣକ ଆତ୍ମହତ୍ୟା କରିଛନ୍ତି । ଯେତେବେଳେ ଗ୍ରାହକ କବାଟ ଖୋଲିଲେ ନାହିଁ, ଡେଲିଭରି ବୟ ତୁରନ୍ତ ପୋଲିସକୁ ଫୋନ କରିଥିଲେ । ତେବେ ଯେତେବେଳେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଥିଲେ ସେତେବେଳେ ମଧ୍ୟ ଗ୍ରାହକ କବାଟ ଖୋଲିବାକୁ ମନା କରିଦେଇଥିଲେ । ଏପରିକି ସେ ଝରକା ବାହାରକୁ ଡେଇଁବାକୁ ଧମକ ଦେଇଥିଲେ । ପୋଲିସ ଗ୍ରାହକଙ୍କୁ ବୁଝାଇଥିବାବେଳେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ କୋଠରୀକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ଶେଷରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥିବାରୁ ପୋଲିସ ଡେଲିଭରି ବୟଙ୍କୁ ଧନ୍ୟବାଦ ଜଣାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକ ଜଣକ ୬୦ଟି ନିଦ ବଟିକା ଖାଇଦେଇଥିଲେ ।