ଗଞ୍ଜାମ: ଜନୈକ ଯୁବତୀର ମୃତଦେହ ରେଳ ଲାଇନରୁ ଉଦ୍ଧାର କରିଛି ପୁଲିସ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡୁଥିବା ବେଳେ ଯୁବତୀଙ୍କ ଏକ କାନଫୁଲ ଓ ମଙ୍ଗଳ ସୂତ୍ର ମିଳିଥିବାରୁ ସେ ବିବାହିତ ବୋଲି ଜଣାପଡୁଛି । ଅନ୍ୟପଟେ ମଦ ବୋତଲ, ଭଙ୍ଗାଚୁଡ଼ି, କ୍ଳିପ୍, ରକ୍ତାକ୍ତ ପଥର ଉପରୁ ଜବତ ହୋଇଥିବାରୁ ହତ୍ୟା କରାଯାଇ ଟ୍ରେନ ଲାଇନରେ ଫୋପାଡି ଦିଆଯାଇଥିବା ପୁଲିସ ଅନୁମାନ କରୁଛି । ରମ୍ଭା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଘଟିଛି ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ନିକଟ ରେଳ ଲାଇନରେ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ପହଞ୍ôଚ ତନାଘନା ଆରମ୍ଭ କରିଛି । ଉକ୍ତ ସମୟରେ ରମ୍ଭା ପୋଲିସ ଓ ରେଳବାଇ ପୋଲିସ ଉପସ୍ଥିତ ଥିଲେ ।
ଘଟଣାରୁ ପ୍ରକାଶ ଯେ ରମ୍ଭା ଓ ଜହମି ମଧ୍ୟରେ ଥିବା ଜାତୀୟ ରାଜପଥ (୧୬)ର ରେଳବାଇ ବ୍ରିଜ ତଳେ ରେଳ ଲାଇନରେ ଏକ ଯୁବତୀର କ୍ଷତବିକ୍ଷତ ମୃତ ଦେହ ଗତକାଲି ରାତିରେ ପଡିଥିଲା । ଉପରେ ବ୍ରିଜ ଉପରେ ରକ୍ତଭିଜା ପଥର, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଭଙ୍ଗାରଙ୍ଗ ଚୁଡ଼ି, ମୁଣ୍ଡର କ୍ଳିପ, କାନ ଫୁଲ ପଡି ରହିଥିବା ବେଳେ ଯୁବତୀକୁ ମାରିବା ପୂର୍ବରୁ ଧସ୍ତାଧସ୍ତି ହୋଇଥିବା ଓ ପ୍ରମାଣ ନଷ୍ଟ ପାଇଁ ବ୍ରିଜ ଉପରୁ କୌଣସି ଟ୍ରେନ୍ ଯିବା ସମୟରେ ଟ୍ରେନ ଉପରୁ ଫୋପାଡି ଦିଆଯାଇଥିବା ଆଶଙ୍କା କରାଯାଉଛି । ଏହି ହତ୍ୟା କାଣ୍ଡରେ ଏକାଧିକ ଲୋକ ସାମିଲ ଥିବା ନେଇ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ତଦନ୍ତକାରୀଦଳ ଅନୁମାନ କରୁଛନ୍ତି ।
ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ôଚ ଟିକିନିଖି ତଦନ୍ତ କରିଛନ୍ତି । ସନ୍ଧାନୀ କୁକୁର ଜାତୀୟ ରାଜପଥର ରେଳ ବ୍ରିଜର କିଛି ଦୂର ପର୍ଯ୍ୟନ୍ତ ଯାଇଥିବାରୁ କୌଣସି ଗାଡ଼ିରେ ହତ୍ୟାକାରୀ ଆସିଥିବା ଜଣାପଡୁଛି । ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିଚୟ ମିଳିନଥିବାରୁ ବାହାରୁ ଯୁବତୀଙ୍କୁ ଆଣି ଏହି କାଣ୍ଡ ଦୁର୍ବୁତ୍ତମାନେ ଏଠାରେ ଘଟାଇଥିବା ପୋଲିସ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବା ବେଳେ ବିଭିନ୍ନ ଥାନାର ନିଖୋଜ ରିପୋର୍ଟକୁ ସଂଗ୍ରହ କରି ତଦନ୍ତ କରୁଛନ୍ତି ତଦନ୍ତ କାରୀ ଦଳ ।