ବ୍ରହ୍ମପୁର: ଜନୈକା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୋସାଇଁନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଢିପ ସାହିର ପ୍ରଶାନ୍ତ ରାଉତ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଗୋସାଇଁନୂଆଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ଏବଂ ଉକ୍ତ ଅଞ୍ଚଳର ପ୍ରଶାନ୍ତଙ୍କ ସହ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ।
ଉଭୟଙ୍କ ସମ୍ପର୍କ ବିଷୟରେ ଯୁବକଙ୍କ ପରିବାର ଲୋକ ଜାଣିବା ପରେ ଏହାକୁ ବାରଣ କରିଥିଲେ । ଯାହାଫଳରେ ଅଭିଯୁକ୍ତ ପ୍ରଶାନ୍ତ ସେହି ଯୁବତୀଙ୍କ ସହ କୌଣସି ସମ୍ପର୍କ ନରଖିବା ସହ ବିବାହ କରିବାକୁ ରାଜି ହୋଇନଥିଲେ । ଏନେଇ ଯୁବତୀ ଜଣଙ୍କ ଗତ ଡିସେମ୍ବର ମାସରେ ଗୋସାଇଁନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଆଜି ଏହି ମାମଲାରେ ପୁଲିସ ପ୍ରଶାନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁମିତ୍ କୁମାର ସୋରେନ ସୂଚନା ଦେଇଛନ୍ତି ।