ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଗୁରୁବାର ଏଠାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳର ବୈଠକରେ ଯୋଗୀଙ୍କୁ ସର୍ବସମ୍ମତକ୍ରମେ ନେତା ମନୋନୀତ କରାଯାଇଛି । ଆସନ୍ତାକାଲି ଅର୍ଥାତ ୨୫ରେ ସେ ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିବେ ବୋଲି ଜଣାପଡିଛି । ବିଧାୟକ ଦଳର ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଭାବେ ଯୋଗଦେଇଥିଲେ ।
ନେତା ମନୋନୟନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆୟୋଜିତ ହୋଇଥିବାବେଳେ ଏଥିରେ ଯୋଗୀଙ୍କ ସମେତ ୟୁପି ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂହ, ୟୁପିର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମୋଟ ୪୦୩ ମଧ୍ୟରୁ ବିଜେପି ମେଣ୍ଟ ୨୭୩ଟି ଆସନରେ ବିଜୟୀ ହୋଇ କ୍ରମାଗତ ଦ୍ୱିତୀୟ ଥର ସରକାର ଗଢିବାକୁ ଯାଉଛି ।