ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ‘ଏକ୍ସ’ର ସର୍ଭର ସୋମବାର ବିଶ୍ୱବ୍ୟାପୀ ଡାଉନ୍ ରହିବା ଦେଖିବାକୁ ମିଳିଥିଲା। ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶରେ ଏହାର ଆପ୍ ଓ ୱେବସାଇଟ୍କୁ ବ୍ୟବହାର କରିବା ସମ୍ଭବ ହୋଇନଥିଲା। ବ୍ୟବହାରକାରୀମାନେ କୌଣସି ପୋଷ୍ଟ୍ କରିପାରୁନଥିଲେ। ବିଶ୍ୱର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ଏହି କମ୍ପାନିରେ ଦେଖାଦେଇଥିବା ବିଭ୍ରାଟ ସମ୍ପର୍କରେ ଲୋକମାନେ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସୂଚନା ଦେଇଥିଲେ। ଆଜିର ଏହି ବିଭ୍ରାଟ୍ ଯୋଗୁ ଗ୍ରୋକ୍ ଏଆଇ ମଧ୍ୟ ଡାଉନ୍ ହୋଇପଡିଥିଲା। ଭାରତରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆରମ୍ଭ ହୋଇଥିବାରୁ ‘ଏକ୍ସ’ରେ ଏଭଳି ବିଭ୍ରାଟ ଅନେକଙ୍କୁ ଚିନ୍ତାରେ ପକାଇ ଦେଇଛି। ସେମାନେ ସମ୍ମିଳନୀ ସମ୍ପର୍କିତ ଅପ୍ଡେଟ୍ ପୋଷ୍ଟ୍ କରିପାରୁନଥିବାରୁ ବିରକ୍ତ ହୋଇଛନ୍ତି।
‘ଏକ୍ସ’ରେ ଲଗ୍ ଇନ୍ କରିବା ମଧ୍ୟ ସମ୍ଭବ ହେଉନଥିବା କିଛି ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଭାରତ, ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ ଏବଂ କାନାଡା ସମେତ ଅନେକ ଦେଶର ହଜାର ହଜାର ଉପଭୋକ୍ତା ପ୍ଲାଟଫର୍ମ ଆକ୍ସେସ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉପଭୋକ୍ତା ସେମାନଙ୍କର ଫିଡ୍ ଆକ୍ସେସ୍ କରିପାରୁ ନଥିବା ଏବଂ ଖାଲି ସ୍କ୍ରିନ୍ ଦେଖିବା ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୭ ଟାରୁ ୪୫,୦୦୦ ରୁ ଅଧିକ ଲୋକ ଆଉଟେଜ୍ ଟ୍ରାକିଂ ୱେବସାଇଟ୍, ଡାଉନଡିଟେକ୍ଟରରେ ଅଭିଯୋଗ ରିପୋର୍ଟ କରିଛନ୍ତି। ଉପଭୋକ୍ତା କହିଛନ୍ତି ଯେ ସେମାନେ ସେମାନଙ୍କର ଟାଇମଲାଇନ୍ ଦେଖିପାରୁ ନାହାଁନ୍ତି କିମ୍ବା ନୂତନ ପୋଷ୍ଟ କରିପାରୁନାହାନ୍ତି। ପ୍ରକାଶ, ‘ଏକ୍ସ’ରେ ଏପ୍ରକାର ବିଭ୍ରାଟ କିଛି ନୂଆ କଥା ନୁହେଁ। ଗତମାସରେ ଏଥିରେ ମଧ୍ୟ ଏକାଧିକ ଥର ବିଭ୍ରାଟ ଘଟିଥିଲା। ଗତ ଜାନୁଆରି ୧୩ ଓ ୧୬ ତାରିଖରେ ବଡ଼ ଧରଣର ବିଭ୍ରାଟ ହୋଇଥିଲା। ଆଜିର ବିଭ୍ରାଟ ସମ୍ପର୍କରେ ଡାଉନ୍ଡିଟେକ୍ଟର୍ସରୁ ମିଳିଥିବା ତଥ୍ୟ ଅନୁଯାୟୀ ଆମେରିକାରେ ୪୦ହଜାରରୁ ଅଧିକ ଓ ଭାରତରେ ୩୦୦୦ରୁ ଅଧିକ ବ୍ୟବହାରକାରୀ ‘ଏକ୍ସ’ ବିଭ୍ରାଟ ଦ୍ୱାରା ପ୍ରଭାବିତ ହୋଇଥିଲେ।










