ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟା, ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଏବଂ ସର୍ବୋପରି ଖାଦ୍ୟାଭ୍ୟାସ ଭାରତରେ ହିଁ ଦେଖିବାକୁ ମିଳିଥାଏ। ଭାରତର ଖାଦ୍ୟ ପ୍ରଣାଳୀ ସର୍ବାଧିକ ପରିବେଶ ଅନୁକୂଳ। ବିଶେଷକରି ଜି-୨୦ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଭାରତରେ ହିଁ ସର୍ବାଧିକ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକୁ ଅନୁସରଣ କରାଯାଉଛି। ଯଦି ବିଶ୍ୱର ସବୁ ଦେଶ ଭାରତର ଖାଦ୍ୟ ଢାଞ୍ଚାକୁ ଅନୁସରଣ କରିନିଅନ୍ତି, ତେବେ ପରିବେଶ ଉପରେ କମ୍ କୁପ୍ରଭାବ ପଡ଼ିବ। ଏହା ଦ୍ୱାରା ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ ରୋକାଯାଇପାରିବ। ଭାରତର ଖାଦ୍ୟକୁ ପ୍ରଶଂସା କରିବାକୁ ଯାଇ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଫଣ୍ଡ୍ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ଏପରି କିଛି ବିବୃତି ଦେଇଛି, ଯାହାକି ଏହାରର ଲିଭିଂ ପ୍ଲାନେଟ୍ ରିପୋର୍ଟ-୨୦୨୪ରେ ପ୍ରକାଶ ପାଇଛି।
ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର ୨୦୨୪ ରିପୋର୍ଟ ଅନୁସାରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ୍ ଏବଂ ଫ୍ରାନ୍ସ ଭଳି କେତେକ ରାଷ୍ଟ୍ର ଏପରି ଖାଦ୍ୟ ଖାଉଛନ୍ତି, ଯାହା ଦ୍ୱାରା ପରିବେଶ ଉପରେ ସବୁଠୁ ଅଧିକ କୁପ୍ରଭାବ ପଡ଼ୁଛି। ଯେତେବେଳେ ୨୦୫୦ ସୁଦ୍ଧା ଖାଦ୍ୟ ଉତ୍ପାଦନର ବିଶ୍ୱସ୍ତରୀୟ ଚାହିଦାକୁ ପୂରଣ କରାଯିବା ଦିଗରେ ଯେତେବେଳେ ବିଚାର କରାଯାଉଛି ସେତେବେଳେ ପରିବେଶ ଅନୁକୂଳ ଖାଦ୍ୟପ୍ରଣାଳୀ ଉପରେ ଗୁରୁତ୍ୱାରୋପ କରାଯିବା ଅତ୍ୟନ୍ତ ଜରୁରି ଅଟେ। ଏଦିଗରେ ଭାରତର ଖାଦ୍ୟ ପରିବେଶ ସମ୍ପୂର୍ଣ୍ଣ ରୂପେ ପରିବେଶ ଅନୁକୂଳ ରହିଛି ଏବଂ ଏହା ମାନବ ଶରୀର ପାଇଁ ମଧ୍ୟ କ୍ଷତିକାରକ ନୁହେଁ।
ଯଦି ସମସ୍ତ ଦେଶ ଭାରତୀୟ ଖାଦ୍ୟ ପ୍ରଣାଳୀ ବା ପଦ୍ଧତିକୁ ଗ୍ରହଣ କରନ୍ତି, ତେବେ ଖାଦ୍ୟ ଆବଶ୍ୟକତାକୁ ବଜାୟ ରଖିବା ପାଇଁ ବିଶେଷ କିଛି ସମସ୍ୟା ହେବନାହିଁ। ମୋଟାମୋଟି ଭାବେ ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦି ୨୦୫୦ ସୁଦ୍ଧା ସମସ୍ତ ଦେଶ ଜି ୨୦ ଦେଶଗୁଡ଼ିକରେ ବ୍ୟବହାର କରାଯାଉଥିବା ଖାଦ୍ୟ ପଦ୍ଧତି ଗ୍ରହଣ କରିନେବେ ତେବେ ତେବେ ଖାଦ୍ୟ ସମ୍ବନ୍ଧୀୟ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ୧.୫ ଡିଗ୍ରୀ ସେଣ୍ଟିଗ୍ରେଡ୍ ଅର୍ଥାତ୍ ଜଳବାୟୁରେ ୨୬୩% ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧିହେବା ନିଶ୍ଚିତ। ଏହର ଫଳସ୍ୱରୂପ ବିଶ୍ୱସ୍ତରରେ ଖାଦ୍ୟ ଉତ୍ପାଦନରେ ସ୍ଥିରତା ରଖିବା ପାଇଁ ହେଲେ ଗୋଟିଏ ପୃଥିବୀ ବଦଳରେ ୭ଟି ପୃଥିବୀର ଆବଶ୍ୟକତା ପଡ଼ିବ। କିନ୍ତୁ ଭାରତୀୟ ଖାଦ୍ୟ ପ୍ରଣାଳୀ ଦ୍ୱାରା ଗୋଟିଏ ପୃଥିବୀରୁ କମ୍ (୦.୮୪) ଆବଶ୍ୟକ ହେବ। ଏଥିସହ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ମଧ୍ୟ କମ୍ ହେବ। ଏହା ଦ୍ୱାରା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ (ସତର୍କ ସୀମା) ସେଲସିୟସରୁ ବୃଦ୍ଧି ପାଇବ ନାହିଁ।
ରିପୋର୍ଟରେ ଭାରତର ମିଲେଟ୍ ମିଶନକୁ ଖୁବ୍ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି। ଭାରତର ମିଲେଟ୍ ମିଶନ୍ ପୁରୁଣା ଖାଦ୍ୟ ଶସ୍ୟ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି। ଏହି ଶସ୍ୟ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, ବରଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ଶକ୍ତିଶାଳୀ ଅସ୍ତ୍ର। ତେଣୁ ଅଙ୍ଗାରକାମ୍ଳ କମ୍ ନିର୍ଗମନ ହେଉଥିବା ଖାଦ୍ୟ ଏବଂ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ଡବ୍ଲ୍ୟଡବ୍ଲ୍ୟୁଏଫ୍।










