ମୁମ୍ବାଇ: ଡବ୍ଲ୍ୟୁଟିଏ ଫାଇନାଲ୍ସରେ ପୋଲାଣ୍ଡର ଇଗା ସ୍ୱିଆତେକ୍ ଚାମ୍ପିଅନ୍ ହେବା ସହ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦ୍ୱିତୀୟ ସିଡ୍ ସ୍ୱିଆତେକ୍ ୬-୧ ଓ ୬-୦ ସେଟ୍ରେ ଆମେରିକାର ଜେସିକା ପେଗୁଲାଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ଆରମ୍ଭରୁ ପେଗୁଲାଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ମାତ୍ର ୫୯ ମିନିଟର ମାଷ୍ଟରକ୍ଲାସରେ ସ୍ୱିଆତେକ ବିଜୟ ହାସଲ କରିଥିଲେ । ଏହା ସ୍ୱିଆତେକଙ୍କ କ୍ୟାରିୟରର ୧୭ତମ ଡବ୍ଲ୍ୟୁଟିଏ ଫାଇନାଲ୍ସ ବିଜୟ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ବିଶ୍ୱର ଏକ ନମ୍ବର ଖେଳାଳି ଭାବେ ଏବେ ସେ ସିଜିନ ଶେଷ କରିବେ । ପେଗୁଲାଙ୍କ ବିପକ୍ଷରେ ସ୍ୱିଆତେକ୍ ମ୍ୟାଚ୍ ପୂର୍ବରୁ ୫-୩ରେ କ୍ୟାରିୟର୍ ଆଗୁଆ ଥିଲେ ।
ଏବେ ଏହାକୁ ସେ ୬-୩ରେ ରଖିଛନ୍ତି । ଚଳିତ ବର୍ଷ ପେଗୁଲା ୟୁନାଇଟେଡ୍ କପ୍ ଏବଂ ଅଗଷ୍ଟରେ ମଣ୍ଟ୍ରିଲ୍ ହାର୍ଡକୋର୍ଟ୍ସରେ ଖେଳାଯାଇଥିବା ସେମିଫାଇନାଲ୍ ଭଳି ତିନିଟି ମ୍ୟାଚରୁ ଦୁଇଟିରେ ବିଜୟୀ ହୋଇଥିଲେ । କେବଳ ଦୋହା ଫାଇନାଲରେ ପେଗୁଲାଙ୍କୁ ହରାଇ ସ୍ୱିଆତେକ ବିଜେତା ହୋଇଥିଲେ । ସେମିଫାଇନାଲରେ ୨୨ ବର୍ଷୀୟ ସ୍ୱିଆତେକ୍ ବିଦାୟୀ ବିଶ୍ୱର ଏକ ନମ୍ବର ଖେଳାଳି ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ ।
ସେପ୍ଟେମ୍ବରରେ ୟୁଏସ୍ ଓପନ୍ ପରେ ସାବାଲେଙ୍କା ଏକ ନମ୍ବର ମାନ୍ୟତା ଗ୍ରହଣ କରିଥିଲେ । ଫଳରେ ସ୍ପିଆତେକ ଦ୍ୱିତୀୟରେ ରହିଥିଲେ । ସ୍ୱିଆତେକ୍ ୬-୩ ଓ ୬-୨ ସେଟରେ ସାବାଲେଙ୍କାଙ୍କୁ ପରାସ୍ତ କରି ଡବ୍ଲ୍ୟୁଟିଏ ଫାଇନାଲ୍ସର ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ପେଗୁଲା ସେମିଫାଇନାଲରେ ଏକ ଘଣ୍ଟା ମଧ୍ୟରେ ନିଜ ଦେଶର କୋକୋ ଗଫ୍ଙ୍କୁ ୬-୨ ଓ ୬-୧ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।