ନୂଆଦିଲ୍ଲୀ: ଆସନ୍ତା ୪ରୁ ୨୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବାକୁ ଥିବା ପ୍ରଥମ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଲକ୍ଷ୍ନୌ ସମେତ ମୋଟ ୫ଟି ଫ୍ରାଞ୍ଚାଇଜି ଅଂଶଗ୍ରହଣ କରିବେ । ଏହି ଦଳଗୁଡ଼ିକ ମଧ୍ୟରୁ ଲକ୍ଷ୍ନୌ ଫ୍ରାଞ୍ଚାଇଜି ୟୁପି ୱାରିଅର୍ଜ ନାମରେ ଖେଳିବ ବୋଲି ଶୁକ୍ରବାର ଏହାର ମାଲିକ କାପ୍ରି ଗ୍ଲୋବାଲ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି । ଗତ ମାସରେ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ଅକ୍ସନ୍ରେ କାପ୍ରି ଗ୍ଲୋବାଲ୍ ହୋଲ୍ଡିଂସ୍ ୭୫୭ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜିର ମାଲିକାନା ଖରିଦ୍ କରିଥିଲା ।
ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ଜନ୍ ଲୁଇସ୍ ଏହି ଟିମ୍ର ମୁଖ୍ୟ କୋଚ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ଅଞ୍ଜୁ ଜୈନ୍ ସହଯୋଗୀ କୋଚ୍ ଭାବେ ନିଯୁକ୍ତି ପାଇସାରିଛନ୍ତି । ଏହାଛଡ଼ା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଶ୍ଲୀ ନୋଫ୍କିଙ୍କୁ ବୋଲିଂ କୋଚ୍ ଏବଂ ୪ ଥରର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳର ସଦସ୍ୟା ଲିସା ସ୍ଥାଲେକର୍ ମେଣ୍ଟର୍ ଦାୟିତ୍ୱ ପାଇଛନ୍ତି । ଲୁଇସ୍ ତାଙ୍କ କ୍ୟାରିଅର୍ରେ ୫ ଶହରୁ ଊର୍ଦ୍ଧ୍ୱ ମ୍ୟାଚ୍ ଖେଳି ୧୨ ଶହରୁ ଊର୍ଦ୍ଧ୍ୱ ୱିକେଟ୍ ନେଇଥିବା ବେଳେ ଗତ ୨୦୨୧ରେ ଇଂଲିଶ୍ ମହିଳା କ୍ରିକେଟ୍ ଦଳର ବୋଲିଂ କୋଚ୍ ଭାବେ କାର୍ଯ୍ୟ କରିଥିଲେ । ସେହିପରି ସେ ଇଂଲଣ୍ଡର ତାରକା ପେସର୍ ଜୋଫ୍ରା ଆର୍ଚର୍, ବ୍ୟାଟ୍ସମ୍ୟାନ୍ ମାର୍କ ଉଡ୍ ଓ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସଙ୍କ ସହ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।